ପ୍ରୟାଗରାଜ: ୧୪୪ ବର୍ଷ ପରେ ପ୍ରୟାଗରାଜରେ ଚାଲିଥିଲା ମହାକୁମ୍ଭ ମେଳାରେ ଉତ୍ତର ପ୍ରଦେଶ ସରକାର ସମସ୍ତ ପ୍ରକାର ଆୟୋଜନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରଦ୍ଧାଳୁଙ୍କ ପାଇଁ ଛୋଟରୁ ବଡ଼ ସମସ୍ତ ଆୟୋଜନ କରିଛନ୍ତି । ତେବେ ଏହି ମହାକୁମ୍ଭରେ ଛୋଟିଆ ଭୁଲକୁ ବି ବରଦାସ୍ତ କରାଯାଉ ନାହିଁ । ଛୋଟ ଛୋଟ ଭୁଲ ପାଇଁ ଯୋଗୀ ସରକାର ଶକ୍ତ ହେଉଛନ୍ତି । ମହାକୁମ୍ଭରେ ନିର୍ଦ୍ଧାରିତ ସମୟରେ ପୁଷ୍ପ ବୃଷ୍ଟି ନ କରିବାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ୟୁପି ସରକାର । ବିମାନ କମ୍ପାନୀ ସହିତ ସିଇଓ ଏବଂ ପାଇଲଟଙ୍କ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୁଷ୍ପ ବୃଷ୍ଟିରେ ବିଳମ୍ବ ଯୋଗୁଁ ମାମଲା ରୁଜୁ
ଜାନୁୟାରୀ ୧୩ ତାରିଖ, ସୋମବାର ପୌଷ ପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ସମୟରେ ଆକାଶ ମାର୍ଗରୁ ହେଲିକପ୍ଟରରୁ ପୁଷ୍ପ ବୃଷ୍ଟି କରିବାକୁ ଏକ ଏଭିଏସନ୍ କମ୍ପାନୀ ଏମ୍.ଏ ଏଭିଏସନ୍ ପ୍ରାଇଭେଟ୍ ଲିମିଟେଡ୍ କୁ ଦାୟିତ୍ୱ ଦିଆଯାଇଥିଲା । ବିନା କୌଣସି ସୂଚନାରେ କମ୍ପାନୀ ହେଲିକପ୍ଟରକୁ ଅଯୋଧ୍ୟା ପଠାଇ ଦିଆଯାଇଥିଲା । ଯଦ୍ୱାର ଅମୃତ ସ୍ନାନ ସମୟରେ ପୁଷ୍ପ ବୃଷ୍ଟି ହୋଇ ପାରି ନ ଥିଲା । ଏହା ପରେ ଖବର ଦିଆଯିବାରୁ ସନ୍ଧ୍ୟାରେ ଆଉ ଏକ ହେଲିକପ୍ଟର ପଠାଇ ପୁଷ୍ପ ବୃଷ୍ଟି କରାଯାଇଥିଲା ।
ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଉତ୍ତର ପ୍ରଦେଶ ସିଭିଲ୍ ଏଭିଏସନ୍ ବିଭାଗର ପରିଚାଳନା ପ୍ରବନ୍ଧକ କେ ପି ରମେଶ ମହାକୁମ୍ଭ ନଗରସ୍ଥିତ କୋତବାଲୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ହେଲିକପ୍ଟର କମ୍ପାନୀର ସିଇଓ ରୋହିତ ମାଥୁର, ପାଇଲଟ୍ କ୍ୟାପଟେନ୍ ପୁନୀତ ଖନ୍ନା ଏବଂ ପରିଚାଳନା ପ୍ରବନ୍ଧକଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ତେବେ ଏ ନେଇ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।
ଅମୃତ ସ୍ନାନର ଶୁଭ ମୁହୂର୍ତ୍ତ
ଚଳିତ ବର୍ଷ ମହାକୁମ୍ଭରେ ଅମୃତ ସ୍ନାନ ପାଇଁ ୬ଟି ତିଥିକୁ ନିର୍ଦ୍ଧାରିତ କରାଯାଇଛି । ୧୩ ଜାନୁୟାରୀ (ପୌଷ ପୂର୍ଣ୍ଣିମା), ୧୪ ଜାନୁୟାରୀ (ମକର ସଂକ୍ରାନ୍ତି), ୨୯ ଜାନୁୟାରୀ (ମୌନୀ ଅମାବାସ୍ୟା/ତ୍ରିବେଣୀ ଅମାବାସ୍ୟା), ୩ ଫେବୃଆରୀ (ବସନ୍ତ ପଞ୍ଚମୀ), ୧୨ ଫେବୃଆରୀ (ମାଘ ପୂର୍ଣ୍ଣିମା) ଓ ୨୬ ଫେବୃଆରୀ (ମହାଶିବରାତ୍ରୀ) ।