ରାୟପୁର: ଲାଲଗଡ଼ରେ ପୁଣି ଥରେ ଗର୍ଜିଛି ଗୁଳି । ପ୍ରତିଶୋଧ ନେଇଛି ସୁରକ୍ଷାବାହିନୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ଓ ଲାଲବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ବଡ଼ ସଫଳତା ମିଳିଛି । ସୁରକ୍ଷାବାହିନୀର ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ତଲାସି ଅଭିଯାନ ଜାରି ରହିଛି ।
ଗୁରୁବାର ଦକ୍ଷିଣ ବିଜାପୁର ଜଙ୍ଗଲରେ ସକାଳ ପ୍ରାୟ ୯ଟାରେ ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଥିଲା । ବିଜାପୁର-ସୁକମାର ଡିଆରଜି ଯବାନ, ସିଆରପିଏଫର ୫ଟି କୋବ୍ରା ୟୁନିଟ୍ ଓ ସିଆରପିଏଫର ୨୨୯ତମ ବାଟାଲିୟନକୁ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରାୟ ଏକ ହଜାର ଯବାନ ସାମିଲ ହୋଇଛନ୍ତି । ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହାଁ ହୋଇଥିଲେ । ସନ୍ଧ୍ୟା ପର୍ୟ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଗୁଳି ଚାଳନା ହୋଇଥିଲା । ପ୍ରାୟ ୫୦ରୁ ୭୦ ଜଣ ମାଓବାଦୀଙ୍କୁ ସୁରକ୍ଷାବାହିନୀ ଘେରିଥିଲା । ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡ଼ିଛି । ତେବେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଥାଇ ପାରେ ବୋଲି ଆଶଙ୍କା କରାଯାଉଛି । ଆଇଜି ପି ସୁନ୍ଦରରାଜ ନିଜେ ଏହି ଅଭିଯାନର ତଦାରଖ କରୁଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜାନୁୟାରୀ ୧୨ ତାରିଖରେ ବିଜାପୁରରେ ୨ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀଙ୍କୁ ସଫା କରିଥିଲେ ଯବାନ । ତେବେ ଚଳିତ ମାସରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ବିନିମୟ ବେଳେ ୨୬ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।