ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ୨୬ ଜାନୁଆରୀରେ ଦେଶ ପାଳିବ ୭୬ତମ ଗଣତନ୍ତ୍ର ଦିବସ । ସବୁବର୍ଷ ଭଳି ଏବର୍ଷ ବି କର୍ତ୍ତବ୍ୟ ପଥରେ ପରେଡ୍ ଆୟୋଜନ କରାଯିବ। ଏଥିରେ ଭାରତର ସଶସ୍ତ୍ର ବାହିନୀର ବିଭିନ୍ନ ଶାଖା ପରେଡ୍ କରିବେ । ସେହି ସମୟରେ, ବାୟୁସେନା ତାର ଦକ୍ଷତା ପ୍ରଦର୍ଶନ କରିବ ଏବଂ ବିଭିନ୍ନ ରାଜ୍ୟ ସେମାନଙ୍କର ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବେ ।
ତେବେ ଚଳିତ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତୀୟ ବାୟୁସେନାର ମୋଟ ୪୦ଟି ବିମାନ ଭାଗନେବେ। ହେଲେ ଭାରତର ସ୍ୱଦେଶୀ ତେଜସ୍ ବିମାନ ଅଂଶଗ୍ରହଣ କରିବ ନାହିଁ । ସୂଚନା ଅନୁଯାୟୀ, ତେଜସ୍ ଏକ ସିଙ୍ଗଲ୍ ଇଞ୍ଜିନ୍ ବିମାନ । ଏହି କାରଣରୁ ସେ ଏଥର ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ନାହିଁ ।
ଭାରତୀୟ ବାୟୁସେନା ଏହାକୁ ନେଇ ଏକ ନୂତନ ନୀତି ପ୍ରସ୍ତୁତ କରିଥିଲା । ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟରର ସମ୍ପୂର୍ଣ୍ଣ ଫ୍ଲିଟ୍ ବର୍ତ୍ତମାନ ଗ୍ରାଉଣ୍ଡେଡ୍ ଅଛି ଯାହା ଫଳରେ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟରଗୁଡ଼ିକ ମଧ୍ୟ ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବେ ନାହିଁ । ତେବେ ତେଜସକୁ ବାଦ୍ ଦେଲେ, ଗଣତନ୍ତ୍ର ଦିବସ ପରେଡରେ ମୋଟ ୪୦ଟି ବିମାନ ସାମିଲ ହେବେ, ଯେଉଁଥିରେ ରହିଛି ୨୨ଟି ଯୁଦ୍ଧ ବିମାନ । ଏଥିରେ ପରିବହନ ବିମାନ ସହିତ ହେଲିକପ୍ଟର ମଧ୍ୟ ଅନ୍ତର୍ଭୁକ୍ତ ।