ଟାଟା ଗ୍ରୁପ୍ ଏବେ ସମୁଦ୍ରରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରସ୍ତୁତି ଚଳାଇଛି। କେରଳର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଟାଟା ଗ୍ରୁପ୍ ରାଜ୍ୟରେ ଜାହାଜ ନିର୍ମାଣ (ଶିପ୍ ବିଲ୍ଡିଂ) ପାଇଁ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଏକ ବିଶାଳ ନିବେଶ କରିବାକୁ ଯାଉଛି। ସରକାର ଏଥିପାଇଁ ଜମି ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଏକ ମାସ ମଧ୍ୟରେ ଏହି ବଡ଼ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିପାରେ।
ଜମି ଯୋଗାଇବେ ସରକାର, ମାସକ ମଧ୍ୟରେ ଡିଲ୍ ପକ୍କା
ମୁଖ୍ୟମନ୍ତ୍ରୀ ସତୀସନ ସ୍ପଷ୍ଟ କରିଛନ୍ତି ଯେ ଜାହାଜ ନିର୍ମାଣର ଏହି ନୂତନ ତଥା ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପରେ ପୁଞ୍ଜି ନିବେଶ କରିବାକୁ ଟାଟା ଗ୍ରୁପ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ରାଜ୍ୟ ସରକାର ମଧ୍ୟ ଏହି ନିବେଶ ପ୍ରସ୍ତାବକୁ ନେଇ ବେଶ୍ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ବୃହତ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଜମି ଯୋଗାଇ ଦିଆଯିବ। ପ୍ରଶାସନ ବର୍ତ୍ତମାନ ଏହି ପ୍ରସ୍ତାବର ପ୍ରତ୍ୟେକ ଦିଗକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରୁଛି ଏବଂ ଆଶା କରାଯାଉଛି ଯେ ଆସନ୍ତା ୩୦ ଦିନ ମଧ୍ୟରେ ଏହାକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଯିବ। କଫି ଠାରୁ ଆରମ୍ଭ କରି ଷ୍ଟିଲ୍ ଏବଂ ସଫ୍ଟୱେର୍ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟ କରୁଥିବା ଟାଟା ଗ୍ରୁପ୍ ପାଇଁ ଜାହାଜ ନିର୍ମାଣ କ୍ଷେତ୍ରଟି ଏକ ସମ୍ପୂର୍ଣ୍ଣ ନୂଆ ଏବଂ ରୋମାଞ୍ଚକର ବ୍ୟବସାୟ ହେବ। ତେବେ ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଟାଟା ଗ୍ରୁପ୍ର ପ୍ରବକ୍ତାଙ୍କ ତରଫରୁ ଏହି ନିବେଶ ସମ୍ପର୍କରେ କୌଣସି ଆଧିକାରିକ ବୟାନ ଆସିନାହିଁ।
ସାମୁଦ୍ରିକ ବ୍ୟବସାୟରେ ଧମାଲ୍ କରିବ ଟାଟା
ଟାଟା ଗ୍ରୁପ୍ର ଏହି ନିବେଶ ଏଭଳି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟିକ ଗୋଷ୍ଠୀ ଅଦାନୀ ଗ୍ରୁପ୍ (Adani Group) ପୂର୍ବରୁ ହିଁ ସାମୁଦ୍ରିକ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିସାରିଛି। କେରଳର ବିଝିଞ୍ଜମଠାରେ ଅଦାନୀ ଗ୍ରୁପ୍ର ଏକ ବିଶାଳ ଡିପ୍ୱାଟର ଟ୍ରାନ୍ସସିପମେଣ୍ଟ ହବ୍ ପ୍ରସ୍ତୁତ ହେଉଛି। ନିକଟରେ ଏହି ପୋର୍ଟ ପ୍ରୋଜେକ୍ଟକୁ ପ୍ରତିଷ୍ଠିତ ‘ଏମ୍ଏସସି ମେଡିଟେରେନିଆନ୍ ସିପିଂ କମ୍ପାନୀ’ (MSC) ଠାରୁ ୧.୪ ବିଲିୟନ ଡଲାରର ପ୍ରତିଶ୍ରୁତି ମଧ୍ୟ ମିଳିଛି। ବର୍ତ୍ତମାନ ସତୀସନ ସରକାର ଏହି ବଡ଼ ଡିଲ୍ର ମଧ୍ୟ ସମୀକ୍ଷା କରୁଛନ୍ତି। ଏବେ ସେହି ସମାନ ରାଜ୍ୟରେ ଜାହାଜ ନିର୍ମାଣ ଜରିଆରେ ଟାଟାର ପ୍ରବେଶରୁ ଏହା ସ୍ପଷ୍ଟ ହେଉଛି ଯେ ଆଗାମୀ ଦିନରେ ଦେଶର ଦୁଇ ବୃହତ୍ କର୍ପୋରେଟ୍ ଘରାନାଙ୍କ ମଧ୍ୟରେ ସାମୁଦ୍ରିକ ବ୍ୟବସାୟରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ପ୍ରତିଯୋଗିତା ଜୋରଦାର ହୋଇପାରେ।
ସାମୁଦ୍ରିକ ଆଧିପତ୍ୟ ପାଇଁ ଭାରତର ନୂଆ ଉଡ଼ାଣ
ଜାହାଜ ନିର୍ମାଣ କ୍ଷେତ୍ରରେ ଟାଟାର ସମ୍ଭାବ୍ୟ ପ୍ରବେଶ ଭାରତର ସେହି ବୃହତ ରଣନୀତିର ଏକ ଅଂଶ, ଯାହା ଅଧୀନରେ ଦେଶ ବିଶ୍ୱ ସାମୁଦ୍ରିକ ବାଣିଜ୍ୟରେ ନିଜର ସ୍ଥିତିକୁ ଦ୍ରୁତ ଗତିରେ ମଜଭୁତ କରିବାକୁ ଚାହୁଁଛି। ଭାରତ ନିଜର ‘ଶିପ୍ ବିଲ୍ଡିଂ’ କ୍ଷମତା ବୃଦ୍ଧି କରିବା ଉପରେ କ୍ରମାଗତ ଭାବେ ଗୁରୁତ୍ୱ ଦେଉଛି। ଏହି କ୍ରମରେ ଗତ ଏପ୍ରିଲ ମାସରେ ଭାରତ ଦକ୍ଷିଣ କୋରିଆ ସହିତ ଏହି ସେକ୍ଟରରେ ସହଯୋଗ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଥିଲା। ସୂଚନାଯୋଗ୍ୟ ଯେ, ଚୀନ୍ ପରେ ଦକ୍ଷିଣ କୋରିଆ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶିପ୍ ବିଲ୍ଡିଂ ହବ୍। ଅନ୍ୟପଟେ, କେରଳ ମଧ୍ୟ କୋଚି ଏବଂ ବିଝିଞ୍ଜମ ଭଳି ପ୍ରମୁଖ ବନ୍ଦରଗୁଡ଼ିକ ଆଖପାଖରେ ଜାହାଜ ନିର୍ମାଣ ଏବଂ ଏହାର ମରାମତି ସେବାର ଜାଲ ବିଛାଇ ନିଜକୁ ଏକ ବଡ଼ ସାମୁଦ୍ରିକ କେନ୍ଦ୍ର ଭାବେ ସ୍ଥାପିତ କରିବାକୁ ଚାହୁଁଛି। ତେବେ ଟାଟାର ଏହି ପ୍ରସ୍ତାବିତ ପ୍ଲାଣ୍ଟର କ୍ଷମତା କେତେ ହେବ ଏବଂ ଏଠାରେ କେବେଠାରୁ ଉତ୍ପାଦନ ଆରମ୍ଭ ହେବ, ସେ ନେଇ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।