ମୁମ୍ବାଇ: ବଲିଓଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ତାଙ୍କ ଘରେ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସକୁ ପ୍ରାଥମିକ ପର୍ଯ୍ୟାୟରେ ଏକ ସଫଳତା ମିଳିଛି । ବାନ୍ଦ୍ରା ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ତେବେ ଅଟକ ଥିବା ଯୁବକ ସେହି ଆକ୍ରମଣକାରୀ କି ନାହିଁ ସେ ନେଇ ପୋଲିସ ସ୍ପଷ୍ଟ କରି ନାହିଁ । ସୈଫଙ୍କ ଘରୁ ବାହାରିବା ପରେ ତାକୁ ବାନ୍ଦ୍ରା ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ।
ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଜଣେ ଦୁର୍ବୃତ୍ତ ସୈଫଙ୍କ ବାନ୍ଦ୍ରାସ୍ଥିତ ଘରେ ସିଡ଼ି ଦେଇ ପ୍ରବେଶ କରିଥିଲା । ସନ୍ଦିଗ୍ଧକୁ ତାଙ୍କର ଘରୋଇ ସହାୟିକା ଦେଖିଥିଲା । ଏହା ପରେ ସେ ଚିତ୍କାର କରିଥିଲେ । ସୈଫ ତାଙ୍କର ଚିତ୍କାର ଶୁଣି ଦୌଡ଼ିକି ଆସିଥିଲେ । ଏହା ପରେ ଦୁର୍ବୃତ୍ତ ଜଣକ ତାଙ୍କ ପୁଅକୁ ନିଜ କବଜାରେ ରଖି ୧ କୋଟି ଟଙ୍କା ଦାବି କରିଥିଲା । ସୈଫ୍ ସାହାସର ସହିତ ଦୁର୍ବୃତ୍ତ ସହିତ ଲଢ଼ିଥିଲେ । ଏହି ସମୟରେ ଦୁର୍ବୃତ୍ତ ଜଣକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।
ସୈଫଙ୍କ ମେରୁଦଣ୍ଡରୁ ବାହାରିଲା ଛୁରୀ
ସୈଫଙ୍କୁ ଦୁର୍ବୃତ୍ତ ଜଣକ ପ୍ରାୟ ୬ ଥର ପ୍ରହାର କରିଥିଲା । ତାଙ୍କ ବେକ ଏବଂ ପିଠିରେ ଗଭୀର ଆଘାତ ଲାଗିଥିଲା । ସୈଫଙ୍କ ମେରୁଦଣ୍ଡରେ ଛୁରିର ଏକ ଅଂଶ ଭାଙ୍ଗିକି ରହିଯାଇଥିଲା । ସୈଫଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଆବ୍ରାହମ୍ ସେହି ସମୟରେ ଘରେ ଉପସ୍ଥିତ ଥିଲେ । ସେ ତାଙ୍କ ବାପାଙ୍କୁ ତୁରନ୍ତ ଲୀଲାବତୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାୟ ୫ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଅଢେଇ ଇଞ୍ଚର ଛୁରୀକୁ ବାହାର କରାଯାଇଥିଲା । ଏହା ସହିତ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରାଯାଇଛି । ସେ ବର୍ତ୍ତମାନ ବିପଦ ମୁକ୍ତ ରହିଛି ।
ଶାହାରୁଖ ଖାନଙ୍କ ଘରେ ମଧ୍ୟ ପଶିବାକୁ ହୋଇଥିଲା ଉଦ୍ୟମ
ଅନ୍ୟପକ୍ଷରେ ୨ରୁ ୩ ଦିନ ପୂର୍ବରୁ ଅର୍ଥାତ୍ ୧୪ ତାରିଖରେ ଶାହାରଖ ଖାନଙ୍କ ଘର ମନ୍ନତରେ ମଧ୍ୟ କେହି ଦୁର୍ବୃତ୍ତ ପଶିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି । ଦୁର୍ବୃତ୍ତ ଜଣକ ତାଙ୍କ ପାଚେରୀ ଦେଇ ଯିବା ବେଳେ ତାରରେ ଫଶି ଯିବାରୁ ସୁରକ୍ଷାକର୍ମୀ ଧରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାକୁ ଛାଡ଼ି ଦିଆଯାଇଥିଲା । ତେବେ ସେହି ଜଣେ ଦୁର୍ବୃତ୍ତ ଏମିତି କରିଥିଲା ନା ଆଉ କେହି ସମ୍ପୃକ୍ତ ଥିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ପୋଲିସ ଶାହାରଖ ଖାନଙ୍କ ଘରର ସିସିଟିଭି ଫୁଟେଜ୍ ଏବଂ ସୈଫ ଅଲ୍ଲୀ ଖାନଙ୍କ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜକୁ ପୋଲିସ ମେଳ କରୁଥିବା ଜଣାପଡ଼ିଛି ।