ନୂଆଦିଲ୍ଲୀ: ଦେଶରେ ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ବୃଦ୍ଧି ପାଉଥିବା ଛାତ୍ର ଆତ୍ମହତ୍ୟାକୁ ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି । ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଛାତ୍ରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଗଠିତ ହେବ ନାସନାଲ୍ ଟାସ୍କ ଫୋର୍ସ (National Task Force) । ଯେଉଁଥିରେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତି ଅଧ୍ୟକ୍ଷତା କରିବେ । ଏହି ଏନଟିଏଫ୍ ଛାତ୍ରଙ୍କ ଆତ୍ମହତ୍ୟାର କାରଣ ଖୋଜିବ ଏବଂ ଏହାର ଉପରେ ଆଲୋଚନା କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ୮ ମାସ ମଧ୍ୟରେ ଏକ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ସୁପ୍ରିମକୋର୍ଟ ନ୍ୟାୟଧୀଶ ଜେବି ପାରଦୀୱାଲାଙ୍କ ଖଣ୍ଡପୀଠଙ୍କ ଏକ ଯାଚିକାରେ ସୋମବାର ଶୁଣାଣି କରିଛନ୍ତି । ଏହି ଶୁଣାଣିରେ ବର୍ଦ୍ଧିତ ଛାତ୍ର ଆତ୍ମହତ୍ୟାକୁ ନେଇ ଖଣ୍ଡପୀଠ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏକ ନାସନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠଙ୍କ ଆଦେଶ ଅନୁସାରେ, ଛାତ୍ର ଆତ୍ମହତ୍ୟା ରୋକିବାକୁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନାସନାଲ୍ ଟାସ୍କ ଫୋର୍ସ ଗଠନ କରାଯିବ । ଯେଉଁଥିରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏସ୍ ରବୀନ୍ଦ୍ର ଭଟ୍ଟ ଅଧ୍ୟକ୍ଷ ରହିବେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବ୍ୟତୀତ, ଯେକୌଣସି ରାଜ୍ୟର ଉଚ୍ଚଶିକ୍ଷା ବିଭାଗ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଏବଂ ଆଇନଗତ ବ୍ୟାପାର ସଚିବମାନେ ଏହାର ସଦସ୍ୟ ରହିବେ । ଏହି ଟାସ୍କ ଫୋର୍ସ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ । ଯେଉଁଥିରେ ଆତ୍ମହତ୍ୟାର କାରଣ, ମହଜୁଦ ଥିବା ନିୟମର ବିଶ୍ଳେଷଣ ଏବଂ ସୁରକ୍ଷାକୁ ଶକ୍ତିଶାଳୀ କରିବାକୁ ସୁପାରିଶ କରିବେ । ରିପୋର୍ଟ ପ୍ରସ୍ତୁତ କରିବା ପ୍ରକ୍ରିୟାରେ, ଟାସ୍କ ଫୋର୍ସକୁ ଯେକୌଣସି ଉଚ୍ଚ ଶିକ୍ଷାନୁଷ୍ଠାନର ଅଚାନକ ଯାଞ୍ଚ କରିବାର କ୍ଷମତା ରହିବ । ଟାସ୍କ ଫୋର୍ସ ଆଗାମୀ ୪ ମାସ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବ, ଯେତେବେଳେ ଚୂଡ଼ାନ୍ତ ରିପୋର୍ଟ ୮ ମାସ ମଧ୍ୟରେ ଦାଖଲ କରିବାକୁ ପସନ୍ଦ କରାଯିବ।
ଖଣ୍ଡପୀଠ କହିଛନ୍ତି, ବିଗତ ଦୁଇ ମାସ ମଧ୍ୟରେ ବିଭିନ୍ନ କଲେଜ ଏବଂ ଛାତ୍ରାବାସରେ ଯୌନ ଶୋଷଣ ଏବଂ ଅନ୍ୟ ମାମଲା ଯୋଗୁଁ ଛାତ୍ରଛାତ୍ରୀମାନେ ଜୀବନ ହାରୁଛନ୍ତି । ଗତ ୧୯ ମାର୍ଚ୍ଚରେ ଗୁଜୁରାଟ ଆଇନ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ର ଜୀବନ ହାରିଥିବାର ଖଣ୍ଡପୀଠ କହିଛନ୍ତି । ଖଣ୍ଡପୀଠରେ ଥିବା ନ୍ୟାୟାଧୀଶ ଆର୍ ମହାଦେବନ କହିଛନ୍ତି ଯେ ଆମକୁ ଆତ୍ମହତ୍ୟାର କାରଣ ଉପରେ ଆଲୋଚନା କରିବା ଉଚିତ । ମୋତେ ଏହି କଥାରେ ଚିନ୍ତା ଲାଗୁଛି ଯେ ବହୁତ ବିଦ୍ୟାର୍ଥୀ ଭେଦଭାବ, ରାଗିଂ ଏବଂ ଯୌନ ଶୋଷଣ ଯୋଗୁଁ ଜୀବନ ହାରି ଦେଉଛନ୍ତି ।
କହିରଖୁଛୁ ଯେ ଅନୁସୂଚିତ ଜାତି ବର୍ଗର ଦୁଇ ଛାତ୍ରଙ୍କ ଅଭିଭାବକଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଛାତ୍ରମାନେ ଆଇଆଇଟି ଦିଲ୍ଲୀରେ ମୃତ୍ୟୁବରଣ କରିଥିଲେ। ଛାତ୍ରମାନଙ୍କ ଅଭିଭାବକମାନେ ସେମାନଙ୍କ ଆବେଦନରେ ଏକ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏଫ୍ଆଇଆର୍ ପଞ୍ଜିକରଣ ଏବଂ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି । ୨୦୨୪ରେ ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ ।