ଗୁଜୁରାଟର ପବିତ୍ର ସୋମନାଥ ଧାମରେ ସୋମବାର ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା। ‘ସୋମନାଥ ଅମୃତ ପର୍ବ-୨୦୨୬’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ପୁନଃନିର୍ମାଣ ଏବଂ ପୁନଃପ୍ରତିଷ୍ଠାର ୭୫ତମ ବାର୍ଷିକୀ ଅବସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ଦେଶର ସନାତନ ପରମ୍ପରା ଓ ସଂସ୍କୃତିର ଗୌରବକୁ ଆହୁରି ଉଜାଗର କରିଛି।
ଏହି ଅବସରରେ ସୋମନାଥ ମନ୍ଦିରର ୯୦ ମିଟର ଉଚ୍ଚ ଶିଖରକୁ ଦେଶର ୧୧ଟି ପବିତ୍ର ତୀର୍ଥସ୍ଥଳରୁ ଅଣାଯାଇଥିବା ପବିତ୍ର ଜଳରେ ଅଭିଷେକ କରାଯାଇଥିଲା। ଏହା ପାଇଁ ବିଶେଷ ଭାବେ ତିଆରି ହୋଇଥିବା ଏକ ବିଶାଳ କଳଶ ବ୍ୟବହାର କରାଯାଇଥିଲା। ୧,୧୦୦ ଲିଟର କ୍ଷମତା ବିଶିଷ୍ଟ ଏହି କଳଶର ଓଜନ ପ୍ରାୟ ୭୬୦ କିଲୋଗ୍ରାମ ଥିବା ବେଳେ, ପାଣି ଭରିବା ପରେ ଏହାର ଓଜନ ୧.୮୬ ମେଟ୍ରିକ ଟନ୍କୁ ପହଞ୍ଚିଥିଲା। ୮ ଫୁଟ ଉଚ୍ଚ ଏହି କଳଶକୁ ୩୫୦ ଟନ୍ କ୍ଷମତା ବିଶିଷ୍ଟ ଅଲ୍-ଟେରେନ୍ କ୍ରେନ୍ ସାହାଯ୍ୟରେ ମନ୍ଦିରର ଶିଖରକୁ ଉଠାଯାଇଥିଲା।ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନେକ ରାଜ୍ୟର କଳାକାର ଏବଂ ଦୂରଦୂରାନ୍ତର ଦର୍ଶକ ଆସିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ‘ବିଶେଷ ମହାପୂଜା’, ‘କୁମ୍ଭାଭିଷେକ’ ଓ ‘ଧ୍ୱଜାରୋହଣ’ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହା ସହ ସ୍ମାରକୀ ଡାକଟିକଟ ଓ ବିଶେଷ ମୁଦ୍ରା ଉନ୍ମୋଚନ କରିଥିଲେ। ମନ୍ଦିରକୁ ଆସିବା ପୂର୍ବରୁ ସେ ଏକ ଭବ୍ୟ ରୋଡ୍ଶୋରେ ଯୋଗ ଦେଇଥିଲେ, ଯେଉଁଠାରେ ହଜାର ହଜାର ଭକ୍ତ ତାଙ୍କୁ ସ୍ୱାଗତ କରିଥିଲେ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ମଧ୍ୟ ଉପସ୍ଥିତ ଥିଲେ।
ମେ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଚାରିଦିନିଆ ମହୋତ୍ସବ ସ୍ୱାଧୀନତା ପରେ ପ୍ରଥମ ଜ୍ୟୋତିର୍ଲିଙ୍ଗ ମନ୍ଦିରର ପୁନଃନିର୍ମାଣର ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ୱପ୍ନର ସୋମନାଥ ଆଜି ସନାତନ ଐତିହ୍ୟର ପୁନର୍ଜାଗରଣର ପ୍ରତୀକ ହୋଇଉଠିଛି।