ଦେଶବାସୀଙ୍କୁ ଏକ ଅସାମାନ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହାଇଦ୍ରାବାଦରେ ଆୟୋଜିତ ଏକ ବିଶାଳ ସଭାରେ ସେ କହିଥିଲେ“ଦେଶଭକ୍ତି କେବଳ ସୀମାରେ ଜୀବନ ଦେବାରେ ନୁହେଁ, କଷ୍ଟକର ସମୟରେ ଦାୟିତ୍ୱବାନ ହେବ ଆବଶ୍ୟକ।” ଏହା ସହ ସେ ଦେଶବାସୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ସୁନା କିଣିବାରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି।
ପ୍ରଥମ ଦୃଷ୍ଟିରେ ଏହି ଆହ୍ୱାନ ଅସାମାନ୍ୟ ଲାଗିପାରେ, କିନ୍ତୁ ଏହାର ପଛରେ ରହିଛି ଭାରତର ଅର୍ଥନୀତିକୁ ସୁଦୃଢ଼ ରଖିବାର ବଡ଼ ଚିନ୍ତା। ବର୍ତ୍ତମାନ ଇରାନ-ମଧ୍ୟପ୍ରାଚ୍ୟ ତଣାପୋଡ଼, କ୍ରୁଡ଼ ଅଏଲ ଦର ବୃଦ୍ଧି ଓ ଡଲାର ସମ୍ମୁଖରେ ଟଙ୍କାର ଦୁର୍ବଳତା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି କରୁଛି।
ଟ୍ରେଡିଂ ଇକୋନୋମିକ୍ସ ତଥ୍ୟ ଅନୁସାରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ପ୍ରାୟ ୬୯୦ ବିଲିୟନ ଡଲାରରେ ରହିଛି। ଫେବୃଆରୀରେ ଏହା ୭୨୮ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ଆନ୍ତର୍ଜାତିକ ଅସ୍ଥିରତା ଏହାକୁ କମାଇଦେଇଛି। ଏପରି ସମୟରେ ସୁନା ଆମଦାନୀ ଭାରତ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଉଠିଛି।
ଭାରତ ପ୍ରତିବର୍ଷ ପ୍ରାୟ ୭୦୦ରୁ ୮୦୦ ଟନ ସୁନା ବ୍ୟବହାର କରୁଥିବାବେଳେ ଦେଶୀୟ ଉତ୍ପାଦନ କେବଳ ୧ରୁ ୨ ଟନ ମଧ୍ୟରେ ସୀମିତ। ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ସୁନା ବିଦେଶରୁ ଆଣିବାକୁ ପଡ଼ୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସୁନା ଆମଦାନୀ ପାଇଁ ଭାରତ ପ୍ରାୟ ୭୨ ବିଲିୟନ ଡଲାର ଖର୍ଚ୍ଚ କରିଛି।
ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଦେଶରେ ସୁନା କିଣିବା ୩୦ରୁ ୪୦ ପ୍ରତିଶତ କମିଯାଏ, ତେବେ ୨୦ରୁ ୨୫ ବିଲିୟନ ଡଲାର ପର୍ଯ୍ୟନ୍ତ ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ। ଯଦି ଏହି ହ୍ରାସ ୫୦ ପ୍ରତିଶତ ହୁଏ, ତେବେ ୩୬ ବିଲିୟନ ଡଲାରରୁ ଅଧିକ ରାଶି ଦେଶରେ ରହିପାରିବ। ଏହି ପରିସ୍ଥିତିରେ ମୋଦୀଙ୍କ ଆହ୍ୱାନ କେବଳ ଏକ ଆର୍ଥିକ ପରାମର୍ଶ ନୁହେଁ, ବରଂ “ଆର୍ଥିକ ଦେଶଭକ୍ତି”ର ଏକ ନୂଆ ସନ୍ଦେଶ ବୋଲି ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ: 'ବର୍ଷେ ଯାଏଁ ସୁନା କିଣନ୍ତୁ ନାହିଁ', ଦେଶବାସୀଙ୍କୁ ବଡ଼ ନିବେଦନ କଲେ ପିଏମ୍ ମୋଦୀ; ଜାଣନ୍ତୁ କାହିଁକି?