ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିବାକୁ ଯାଉଛି ଏକ ବଡ଼ ଖବର। ଏଣିକି ଟୋଲ୍ ପ୍ଲାଜାରେ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବନି କି ଗାଡ଼ି ଅଟକାଇବାକୁ ପଡ଼ିବନି। କେନ୍ଦ୍ର ସରକାର ଦେଶର ହାଇୱେ ଗୁଡ଼ିକରୁ 'ଟୋଲ୍ ବ୍ୟାରିୟର' ହଟାଇବାକୁ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଅଧୀନରେ ଗାଡ଼ିଗୁଡ଼ିକ ବିନା କୌଣସି ବାଧାରେ ଦ୍ରୁତ ଗତିରେ ଯାଇପାରିବେ ଏବଂ ଟୋଲ୍ ଟିକସ ଆପେ ଆପେ କଟିଯିବ।
କ’ଣ ଏହି ନୂଆ MLFF ସିଷ୍ଟମ୍?
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସଂସଦରେ ଏହି 'ମଲ୍ଟି-ଲେନ୍ ଫ୍ରି-ଫ୍ଲୋ' (MLFF) ଟୋଲ୍ ପ୍ରଣାଳୀ ବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଭାରତରେ ପ୍ରାୟ ୧.୫ ଲକ୍ଷ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନେଟୱର୍କ ରହିଛି, ଯେଉଁଠାରେ ପ୍ରାୟ ୧,୦୮୭ଟି ଟୋଲ୍ ପ୍ଲାଜା କାର୍ଯ୍ୟ କରୁଛି। ନୂଆ ବ୍ୟବସ୍ଥା ଅନୁସାରେ ଏହି ସବୁ ପ୍ଲାଜାରୁ ବ୍ୟାରିୟର ହଟାଇ ଦିଆଯିବ।
କେମିତି କାମ କରିବ ଏହି ଟେକ୍ନୋଲୋଜି?
ଏହି ନୂଆ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଆଧୁନିକ ଜ୍ଞାନକୌଶଳ ଉପରେ ଆଧାରିତ ହେବ।
ANPR କ୍ୟାମେରା: ହାଇୱେରେ ସ୍ୱତନ୍ତ୍ର ଏଆଇ (AI) କ୍ୟାମେରା ବା 'ଅଟୋମ୍ୟାଟିକ୍ ନମ୍ବର ପ୍ଲେଟ୍ ରିକଗ୍ନିସନ' କ୍ୟାମେରା ଲଗାଯିବ।
ଗ୍ୟାଣ୍ଟ୍ରି ସିଷ୍ଟମ୍: ରାସ୍ତା ଉପରେ ଲୁହା ଗାଡ଼ର ବା ଗ୍ୟାଣ୍ଟ୍ରି ଲଗାଯିବ, ଯାହା ଗାଡ଼ି ଚାଲୁଥିବା ଅବସ୍ଥାରେ ନମ୍ବର ପ୍ଲେଟ୍ ଏବଂ ଫାସଟ୍ୟାଗ୍ (FASTag) କୁ ସ୍କାନ କରିବ।
ଅଟୋମ୍ୟାଟିକ୍ ପେମେଣ୍ଟ: ଗାଡ଼ିଟି ୮୦ ରୁ ୧୨୦ କିଲୋମିଟର ବେଗରେ ଯାଉଥିଲେ ମଧ୍ୟ ସେନ୍ସର ତୁରନ୍ତ ତଥ୍ୟ ପଢ଼ିନେବ ଏବଂ ବାହନ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ।
ଗୁଜରାଟରୁ ହେବ ଶୁଭାରମ୍ଭ
ଏହି ଅତ୍ୟାଧୁନିକ ବ୍ୟବସ୍ଥାର ପ୍ରଥମ ପ୍ରୟୋଗ ଗୁଜରାଟର 'ଚୋର୍ଯାସୀ ଟୋଲ୍ ପ୍ଲାଜା'ରୁ କରାଯାଉଛି। ଏହା ଦେଶର ପ୍ରଥମ ବ୍ୟାରିୟର ମୁକ୍ତ ଟୋଲ୍ ପ୍ଲାଜା ହେବ। ଏହା ବ୍ୟତୀତ ହରିୟାଣାର ଘରୌନ୍ଦା ଟୋଲ୍ ପ୍ଲାଜାରେ ମଧ୍ୟ ଏହି ସୁବିଧା ପାଇଁ ଆଇସିଆଇସିଆଇ (ICICI) ବ୍ୟାଙ୍କ ସହ ବୁଝାମଣା ହୋଇଛି। ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଦେଶର ପ୍ରାୟ ୨୫ଟି ପ୍ରମୁଖ ଜାତୀୟ ରାଜପଥରେ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ NHAI ଲକ୍ଷ୍ୟ ରଖିଛି।
ଯାତ୍ରୀଙ୍କୁ ମିଳିବ କି ସୁବିଧା?
୧. ସମୟ ବଞ୍ଚିବ: ଟୋଲ୍ ଗେଟରେ ଆଉ ଲାଇନରେ ରହିବାକୁ ପଡ଼ିବନି, ଫଳରେ ଯାତ୍ରା ସମୟ କମିବ।
୨. ତୈଳ ସଞ୍ଚୟ: ଗାଡ଼ି ବାରମ୍ବାର ଅଟକିବା ଏବଂ ପୁଣି ଷ୍ଟାର୍ଟ ହେବା କାରଣରୁ ନଷ୍ଟ ହେଉଥିବା ଇନ୍ଧନ ବଞ୍ଚିପାରିବ।
୩. ସ୍ୱଚ୍ଛତା: ଟୋଲ୍ ଆଦାୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବା ଯୋଗୁଁ ଏଥିରେ ଅଧିକ ସ୍ୱଚ୍ଛତା ଆସିବ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜସ୍ଥାନରେ ସର୍ବାଧିକ ୧୫୬ଟି ଟୋଲ୍ ପ୍ଲାଜା ଥିବାବେଳେ ଉତ୍ତର ପ୍ରଦେଶରେ ୯୭ ଏବଂ ମଧ୍ୟପ୍ରଦେଶରେ ୯୦ଟି ପ୍ଲାଜା ରହିଛି। ୨୦୨୬ ସୁଦ୍ଧା ସମଗ୍ର ଦେଶରେ ଜିଏନଏସଏସ (GNSS) ଆଧାରିତ ଟୋଲ୍ ସିଷ୍ଟମ୍ ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି।