ଗୁଜରାଟର ପବିତ୍ର ସୋମନାଥ ଧାମରୁ ପୁଣିଥରେ ଜାତୀୟ ଗର୍ବ, ସଂସ୍କୃତି ଓ ସ୍ୱାଭିମାନର ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ଦିନିଆ ଗୁଜରାଟ ଦୌରାରେ ଥିବା ପ୍ରଧାନମନ୍ତ୍ରୀ ସୋମବାର ଗିର ସୋମନାଥରେ ଭବ୍ୟ ରୋଡ୍ ଶୋ କରିଥିଲେ। ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ “ମୋଦୀ-ମୋଦୀ” ନାରାରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ। ପରେ ସେ ସୋମନାଥ ମନ୍ଦିରରେ କୁମ୍ଭାଭିଷେକ ଓ ପୂଜାର୍ଚ୍ଚନା କରିଥିଲେ।
ସୋମନାଥ ଅମୃତ ମହୋତ୍ସବ ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ପିଏମ୍ ମୋଦୀ କହିଥିଲେ, “ଦୁନିଆର କୌଣସି ଶକ୍ତି ଭାରତକୁ ନମାଇ ପାରିବେ ନାହିଁ।” ଇତିହାସରେ ସୋମନାଥ ମନ୍ଦିର ଉପରେ ଅନେକ ଆକ୍ରମଣ ହୋଇଥିବା ସତ୍ତ୍ୱେ ଏହାର ଆତ୍ମାକୁ କେହି ଧ୍ୱଂସ କରିପାରିନଥିବା କଥା ସେ ସ୍ମରଣ କରାଇଥିଲେ। ତାଙ୍କ କଥାରେ, ଆକ୍ରମଣକାରୀମାନେ ସୋମନାଥକୁ କେବଳ ଏକ ଭୌତିକ ଗଠନ ଭାବରେ ଦେଖିଥିଲେ, କିନ୍ତୁ ଭାରତର ଆଧ୍ୟାତ୍ମିକ ଶକ୍ତିକୁ କେବେ ବୁଝି ପାରିନଥିଲେ।
ପ୍ରଧାନମନ୍ତ୍ରୀ ୧୧ ମଇ ୧୯୯୮ର ପୋଖରଣ ପରମାଣୁ ପରୀକ୍ଷାକୁ ମଧ୍ୟ ସ୍ମରଣ କରିଥିଲେ। ସେ କହିଥିଲେ, “ସେତେବେଳେ ସମଗ୍ର ବିଶ୍ୱ ଭାରତ ବିରୋଧରେ ଠିଆ ହୋଇଥିଲା। ଅନେକ ପ୍ରତିବନ୍ଧକ ଲାଗିଥିଲା, କିନ୍ତୁ ଭାରତ ମୁଣ୍ଡ ନମାଇନଥିଲା।” ଏହି ଉଦାହରଣ ଦେଇ ସେ ଭାରତର ଆତ୍ମବିଶ୍ୱାସ ଓ ଦୃଢ଼ତାକୁ ଉପସ୍ଥାପନ କରିଥିଲେ।
ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ସ୍ମରଣ କରି ପିଏମ୍ ମୋଦୀ କହିଥିଲେ ଯେ, ସ୍ୱାଧୀନତା ପରେ ୫୦୦ରୁ ଅଧିକ ରଜଡ଼ାକୁ ଏକତ୍ର କରି ଭାରତକୁ ଏକତାର ସୂତ୍ରରେ ବାନ୍ଧିଥିଲେ ସର୍ଦାର ପଟେଲ। ସେହି ସହ ସୋମନାଥ ମନ୍ଦିରର ପୁନର୍ନିର୍ମାଣ ସ୍ୱପ୍ନକୁ ମଧ୍ୟ ସାକାର କରିଥିଲେ।
ଭାଷଣର ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, “ଶିବ କେବଳ ଦେବତା ନୁହେଁ, ସେ ସର୍ବାତ୍ମା। ଏହି ହେଉଛି ଭାରତର ସନାତନ ଚେତନାର ସବୁଠୁ ବଡ଼ ଶକ୍ତି।” ସୋମନାଥର ପବିତ୍ର ଧାମରୁ ଦିଆଯାଇଥିବା ଏହି ସନ୍ଦେଶ ପୁଣିଥରେ ଦେଶର ସାଂସ୍କୃତିକ ଗର୍ବକୁ ଉଜାଗର କରିଛି।
ଅଧିକ ପଢନ୍ତୁ: ଭକ୍ତି ଓ ପରମ୍ପରାର ସଙ୍ଗମ; ସୋମନାଥରେ କୁମ୍ଭାଭିଷେକର ଭବ୍ୟ ଆୟୋଜନ,୧୧ ତୀର୍ଥର ପବିତ୍ର ଜଳରେ ହେଲା ଶିଖର ଅଭିଷେକ