କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ ଯୋଗ ଦେଇଛନ୍ତି । କ୍ୟାବିନେଟେ ଆଲୋଚନା ଫଳପ୍ରଦ ହୋଇଛି । ପ୍ରଥମ କ୍ୟାବିନେଟ୍ ବୈଠକରେ ଛଅଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଡବଲ ଇଞ୍ଜିନ ସରକାରରେ ସମସ୍ତ ବିକାଶ ସମ୍ପନ୍ଧୀୟ ପ୍ରକଳ୍ପ ସମାପ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।
ମୃତ ୩୨୧ଜଣଙ୍କର ଖୋଲିବ ଫାଇଲ୍
ମୁଖ୍ୟମନ୍ତ୍ରୀ ପ୍ରଥମେ ସମସ୍ତ ଭୋଟର, ନିର୍ବାଚନ କମିଶନ, କେନ୍ଦ୍ରୀୟ ସୁରକ୍ଷା ବାହିନୀ, ପୋଲିସ, ପର୍ଯ୍ୟବେକ୍ଷକ ଏବଂ ସମସ୍ତ ରାଜନୈତିକ ଦଳଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଛଅଟି ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ଏହି ସଂଘର୍ଷ ସମୟରେ ପ୍ରାଣ ହରାଇଥିବା ୩୨୧ ଜଣ ବ୍ୟକ୍ତିଙ୍କର ଫାଇଲ୍ ଖୋଲିବ । ଯଦି ମୃତକଙ୍କ ପରିବାର ଚାହିଁବ ତେବେ ସରକାର ଏହି ଘଟଣାର ତଦନ୍ତ ଆରମ୍ଭ କରିବେ ।
ବିଏସଏଫକୁ ଜମି ହସ୍ତାନ୍ତର
ସେହିପରି ସୀମା ସୁରକ୍ଷା ଉଦ୍ଦେଶ୍ୟରେ ସୀମାନ୍ତ ଅଞ୍ଚଳରେ ବିଏସ୍ଏଫ୍ ଜମି ହସ୍ତାନ୍ତର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ୪୫ ଦିନ ମଧ୍ୟରେ ବିଏସ୍ଏଫ୍ ଜମି ହସ୍ତାନ୍ତର ପ୍ରକ୍ରିୟା ସମାପ୍ତ ହେବ ।
ଆୟୁଷ୍ମାନ ଯୋଜନା ଲାଗୁ
ଏହା ସହିତ ପଶ୍ଚିମବଙ୍ଗରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି କହିଛନ୍ତି ବେଙ୍ଗଲ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜନ ଆରୋଗ୍ୟ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ଆଗାମୀ ଦିନରେ ଏଠାରେ ମଧ୍ୟ କାର୍ଯ୍ୟକାରୀ କରାଯିବ।
ସରକାରୀ ଚାକିରୀରେ ବୟସ ବୃଦ୍ଧି
ଶୁଭେନ୍ଦୁ ସରକାର ଆହୁରି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ପାଞ୍ଚ ବର୍ଷ ବୃଦ୍ଧି କରାଯାଇଛି । ଯାହା ଦ୍ୱାରା ଯେଉଁ ଯୁବପୀଢ଼ିଙ୍କ ବୟସ ଅତିକ୍ରାନ୍ତ କରିଯାଇଥିବ ସେମାନେ ମଧ୍ୟ ସରକାରୀ ଚାକିରୀ କରିବାର ଏକ ସୁଯୋଗ ପାଇବେ ।
ଆଇଏଏସ୍ ଓ ଆଇପିଏସଙ୍କୁ ମିଳିବ ତାଲିମ
ଏହା ସହିତ, ପଶ୍ଚିମବଙ୍ଗ କ୍ୟାଡରର ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତାଲିମ କାର୍ଯ୍ୟକ୍ରମ ପାଇଁ ପଠାଯିବ । ଯେଉଁ ସମ୍ବଳଗୁଡ଼ିକୁ ପୂର୍ବ ସରକାର ବ୍ୟବହାର କରି ନଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାତୀୟ ଏବଂ ରାଜ୍ୟ କ୍ୟାଡରର ଅଧିକାରୀମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କ୍ୟାବିନେଟ ମୁଖ୍ୟ ସଚିବଙ୍କୁ କ୍ଷମତା ପ୍ରଦାନ କରିଛନ୍ତି।
ପୀଡିତଙ୍କ ସାମାଜିକ ସୁରକ୍ଷା ପ୍ରଦାନ
ସେହିପରି ଅତ୍ୟାଚାରର ଶିକାର ହୋଇଥିବା ପରିବାରମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ । ଅତ୍ୟାଚାରର ଶିକାର ହୋଇଥିବା ପରିବାରଗୁଡ଼ିକୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବିଏନ୍ଏସ୍ ଲାଗୁ
ରାଜ୍ୟ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା (BNS) କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଶରଣାର୍ଥୀ ଏବଂ ବିସ୍ଥାପିତଙ୍କୁ ଭୂମି ଅଧିକାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।