ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଏକ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଉପରେ ଖୁବ ବର୍ଷିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ପୀଠ ହିନ୍ଦୁ ମ୍ୟାରେଜ ଆକ୍ଟର ଧାରାକୁ ଚ୍ୟାଲେଞ୍ଜ କରିଥିବା ଛାତ୍ରଙ୍କୁ ତାଗିଦ କରିଛନ୍ତି । ସିଜେଆଇ କହିଛନ୍ତି, ଜନସ୍ୱାର୍ଥ ମାମଲାର ବ୍ୟବହାର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କରାଯିବା ଉଚିତ୍ ନୁହେଁ । ଏହା ସହିତ ଆବେଦନକାରୀଙ୍କୁ ଜରିମାନା ଲଗାଇବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହା ପୂର୍ବରୁ ଆଇନ ବିଭାଗର ଏକ ଛାତ୍ର ଜିତେନ୍ଦ୍ର ସିଂ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ହିନ୍ଦୁ ମ୍ୟାରେଜ ଆକ୍ଟର ସେହି ପ୍ରାବଧାନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ କେବଳ ପତ୍ନୀଙ୍କୁ ଛାଡପତ୍ର ମାଗିବାର ବିଶେଷ ଅଧିକାର ଦିଆଯାଇଛି । ଯାଚିକାରେ ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧ।। ୧୩(୨)( III.)କୁ ଚ୍ୟାଲେଞ୍ଜ ଦେଇଥିଲେ ।
ଏହି ଧାରା ପତ୍ନୀଙ୍କୁ ଅଧିକାର ଦେଇଛି ଯେ, ଯଦି ପତି ବିରୋଧରେ ଭରଣପୋଷଣର ଆଦେଶ ପାରିତ ହେବାର ଗୋଟିଏ ବର୍ଷ କିମ୍ବା ସେଥିରୁ ଅଧିକ ସମୟ ପରେ ବି ଦମ୍ପତ୍ତି ଏକାଠି ରହି ନ ପାରିଲେ, ତେବେ ପତ୍ନୀ ଛାଡପତ୍ର ପାଇଁ ଆବେଦନ କରି ପାରିବେ । ଛାତ୍ର ଜଣକ ଯୁକ୍ତି ବାଢିଛନ୍ତି ଯେ, ଏହି ପ୍ରାବଧାନକୁ ନିରପେକ୍ଷ କରାଯିବା ଉଚିତ୍ ଏବଂ ଏହି ଅଧିକାର ପୁରୁଷଙ୍କୁ ମଧ୍ୟ ମିଳିବା ଉଚିତ୍ ।
ଏହା ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲା ବାଗଚୀଙ୍କ ପୀଠ ଛାତ୍ରଙ୍କୁ କଡା ତାଗିଦ କରିଛନ୍ତି । ସିଜେଆଇ ପ୍ରଶ୍ନ କରିଛନ୍ତି ଯେ, ଆପଣ କେମିତି ପ୍ରଭାବିତ ହୋଇ ପାରୁଛନ୍ତି ? ଆପଣଙ୍କୁ ଲାଗୁଛି ଯେ, ଆପଣ ପୂରା ପୁରୁଷ ସମାଜର ପ୍ରତିନିଧିତ୍ୱ କରୁଛନ୍ତି ? ସିଜେଆଇ ପ୍ରଶ୍ନ କରିଛନ୍ତି ଯେ, ଏହି ପ୍ରାବଧାନରେ ଆବେଦନକାରୀ ବ୍ୟକ୍ତିଗତ ଭାବେ କେତେ ପ୍ରଭାବିତ ହୋଇଛନ୍ତି ?
ଛାତ୍ର ଜଣକ ସ୍ୱୀକାର କରିଛନ୍ତି ଯେ, ସେ ଗତ ୭-୮ ବର୍ଷରୁ ବୈବାହିକ ମୋକଦ୍ଦମାରେ ଫସି ରହିଛନ୍ତି । ଏହା ଉପରେ ସିଜେଆଇ କହିଛନ୍ତି, ଆପଣ ଏହି ପିଆଇଏଲରେ ନିଜର ବ୍ୟକ୍ତିଗତ ପ୍ରତିଶୋଧ ନେବାକୁ ଚାହାନ୍ତି? ମୁଁ ଆଶା କରୁଛି ଯେ, ଆପଣ ଆଇନର ପାଠ୍ୟକ୍ରମ କେବଳ ଏଥିପାଇଁ କରୁ ନାହାନ୍ତି ।