ଶ୍ରୀନଗର: ପର୍ଯ୍ୟଟନସ୍ଥଳୀ ଜମ୍ମୁକାଶ୍ମୀର ପହଲଗାମ୍ ଆକ୍ରମଣ ଘଟଣାକୁ ନେଇ ତଦନ୍ତ କରାଯାଉଥିବା ବେଳେ ଗୋଟେ ପରେ ଗୋଟେ ନୂଆ ଖୁଲାସା ସାମ୍ନାକୁ ଆସିବାରେ ଲାଗିଛି । ଏହି ଆକ୍ରମଣର ଯାଂଚ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଆଜି ପହଲଗାମରେ ଏନଆଇଏ ଡିଜି ସଦାନନ୍ଦ ବସନ୍ତ, ତାଙ୍କ ଟିମ୍ ସହ ଆତଙ୍କୀ ହମଲାକୁ ନେଇ ଛାନଭିନ୍ କରୁଛନ୍ତି । ଜମ୍ମୁକାଶ୍ମୀରର ୧୦୦ଟି ସ୍ଥାନରେ ରେଡ୍ କରିଛି ଏନଆଇଏ । ଆତଙ୍କୀ ହମଲାକୁ ନେଇ ଫାଇନାଲ ରିପୋର୍ଟ ପ୍ରସ୍ତୁତ କରିବ ଏନଆଇଏ । ଏହାରି ଭିତରେ ପହଲଗାମ ହମଲାକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । କିପରି ନରହନ୍ତା ଆତଙ୍କବାଦୀ ନିଜର ବର୍ବର କାଣ୍ଡ ଘଟାଇବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ,ତାହା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ପହଲଗାମରେ ଆଗରୁ ରେକି କରିଥିଲେ ଆତଙ୍କବାଦୀ । ୭ ଦିନ ଧରି ପହଲଗାଁଓରେ ଲୁଚିଥିଲେ ଆତଙ୍କବାଦୀ। କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ଆକ୍ରମଣର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ୧୫ ଏପ୍ରିଲରେ ପହଲଗାମରେ ପହଞ୍ଚିଥିଲେ। କେବଳ ବୈସାରନ ଉପତ୍ୟକା ନୁହେଁ, ପହଲଗାମର ଅନ୍ୟ ତିନୋଟି ପର୍ଯ୍ୟଟନ ସ୍ଥଳ ମଧ୍ୟ ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। ଏହି ସ୍ଥାନଗୁଡ଼ିକର ରେକି ମଧ୍ୟ ଏହି ଲୋକମାନେ କରିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି କରିବା ପରେ ପହଲଗାଁଓର ‘ବୈସାରଣ ଉପତ୍ୟକା’ ରେ ଆକ୍ରମଣ ପାଇଁ ସେମାନେ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଏହାର ଖୁଲାସା ହୋଇଛି। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ।
ଆତଙ୍କବାଦୀମାନେ ପୂର୍ବରୁ ପହଲଗାମର ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯେପରିକି ଆରୁ ଭ୍ୟାଲି, ବେତାବ ଭ୍ୟାଲି ଏବଂ ବୈସାରନକୁ ବୁଲି ଦେଖିଥିଲେ। ଏହି ରେକିରେ ସାମିଲ ଥିଲେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ପାଞ୍ଚ ଜଣ ଓଭର ଗ୍ରାଉଣ୍ଡ ୱାର୍କର(OGW)। ସେମାନେ ପ୍ରାୟ ଏକ ସପ୍ତାହ ଧରି ପହଲଗାମର ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି, ଆତଙ୍କବାଦୀମାନେ ବେତାବ ଉପତ୍ୟକାକୁ ଟାର୍ଗେଟ କରିବାକୁ ପ୍ରଥମେ ଯୋଜନା କରିଥିଲେ। ଶେଷ ମୁହୂର୍ତ୍ତରେ, ଯୋଜନା ପରିବର୍ତ୍ତନ କରାଯାଇଥିଲା, ଏବଂ ବୈସାରନରେ ଆକ୍ରମଣ କରିଥିଲେ। କାରଣ ଆକ୍ରମଣ ପରେ ଏଠାରୁ ଖସିଯିବା ସହଜ ଥିଲା। କେବଳ କିଛି OGW, ପାକିସ୍ତାନୀ ହ୍ୟାଣ୍ଡଲର୍ ଏବଂ ଦୁଇ ପାକିସ୍ତାନୀ ଆତଙ୍କବାଦୀ ଏହା ଜାଣିଥିଲେ।
ଏପ୍ରିଲ ୨୦ରେ ସେମାନେ ବୈସାରନ ଅଭିମୁଖେ ବାହାରିଥିଲେ। ୨ ଦିନ ପଦଯାତ୍ରା ପରେ ବୈସାରନରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଭେଟିଥିଲେ। ୨୨ ଏପ୍ରିଲ୍ ସକାଳେ, OGW ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆକ୍ରମଣ ଏବେ ବୈସାରଣରେ ହେବ। ଏହା ଅପରାହ୍ନରେ କରାଯିବ ଯାହା ଦ୍ଵାରା ଅନ୍ଧାର ଶୀଘ୍ର ହୋଇଯିବ। ଫଳରେ ଆକ୍ରମଣକାରୀମାନେ ରାତିରେ ଜଙ୍ଗଲ ଭିତରକୁ ପଳାଇଯିବା ସହଜ ହେବ। ସେହି ଷଡ଼ଯନ୍ତ୍ର ଅନୁସାରେ ୨୨ ତାରିଖରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏପର୍ଯ୍ୟନ୍ତ ପ୍ରାୟ ୨୫୦୦ ଲୋକଙ୍କୁ ପଚରା ଉଚରା କରିଛି ଏନଆଇଏ। ପ୍ରାୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।
ଅଧିକ ପଢନ୍ତୁ: ହାଇ ଆଲର୍ଟ: ଜମ୍ମୁ କଶ୍ମୀର ପିଲାଙ୍କୁ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା ପାଇଁ ଉପାୟ ଶିଖାଯାଉଛି ସେନା