ବେଙ୍ଗାଲୁରୁ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । କଂଗ୍ରେସର ଅନେକ ନେତା ଓ ମନ୍ତ୍ରୀ ବିବାଦୀୟ ବୟାନ ଦେଇ ରାଜନୀତିକୁ ସରଗରମ କରିଛନ୍ତି । ଏହା ମଧ୍ୟରେ କର୍ଣ୍ଣାଟକ ସରକାରରେ ଗୃହ ଓ ସଂଖ୍ୟାଲଘୁ ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କ ଏକ ବୟାନ ସାମାଜିକ ଗଣମାଧ୍ୟମରେ ଖୁବ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ମନ୍ତ୍ରୀ ନିଜ ବୟାନରେ ପାକିସ୍ତାନ ସହ ଯୁଦ୍ଧ ପାଇଁ ଏକାକୀ ହିଁ ଆତ୍ମଘାତୀ ବୋମା ସହିତ ପାକିସ୍ତାନ ଯିବାକୁ ପ୍ରସ୍ତୁତ ବୋଲି କହୁଛନ୍ତି ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଜମିର ଅହମ୍ମଦ ଖାନ କହିଛନ୍ତି, ପାକିସ୍ତାନ ସର୍ବଦା ଭାରତ ସହ ଶତ୍ରୁତା କରି ଆସିଛି । ଏମିତି ଘଡି ସନ୍ଧି ସମୟରେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୋତେ ସୁଯୋଗ ଦିଅନ୍ତି ତେବେ ମୁଁ ସୀମାକୁ ଯାଇ ପାକିସ୍ତାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ । ଆମେ ସବୁ ଭାରତୀୟ, ଆମେ ସବୁ ହିନ୍ଦୁସ୍ଥାନୀ । ଆମର ପାକିସ୍ତାନ ସହ କୌଣସି ସଂପର୍କ ନାହିଁ । ପାକିସ୍ତାନ ସର୍ବଦା ଆମର ଶତ୍ରୁ ଦେଶ ହୋଇ ରହିଛି ଏବଂ ଆଗକୁ ରହିବ ମଧ୍ୟ । ଯଦି ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ କିମ୍ବା କେନ୍ଦ୍ର ସରକାର ମୋତେ ଅନୁମତି ଦିଅନ୍ତି ତେବେ ମୁଁ ପାକିସ୍ତାନ ଯାଇ ଯୁଦ୍ଧ କରିବାକୁ ପ୍ରସ୍ତୁତ ।
ଖାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଆତ୍ମଘାତୀ ବୋମା ଯୋଗାଇ ଦେବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ମୁଁ ଯୁଦ୍ଧ କରିବାକୁ ପାକିସ୍ତାନ ଯିବି... ମୋଦୀ, ଶାହ ମୋତେ ଆତ୍ମଘାତୀ ବୋମା ଯୋଗାଇ ଦିଅନ୍ତୁ । ଏହା ପୂର୍ବରୁ ଖାନ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାର କଡା ନିନ୍ଦା କରିବା ସହ ଏହାକୁ ଅମାନବୀୟ ଓ କାପୁରୁଷପଣ କୃତ୍ୟ ବୋଲି ଦର୍ଶାଇଛନ୍ତି । ଆମ ଭାରତୀୟଙ୍କୁ ଏକଜୁଟ୍ ହେବା ଉଚିତ୍, ଏହା ଆମ ପାଇଁ ଏକଜୁଟ ହେବାର ସମୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସୁରକ୍ଷା ପାଇଁ କଡା ପଦକ୍ଷେପ ନେବା ଉଚିତ୍ ବୋଲି ଖାନ କହିଛନ୍ତି ।
ଉଲ୍ଲେଖନୀୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ପ୍ରଥମ ଥର ପର୍ଯ୍ୟଟକଙ୍କୁ ହମଲା କରିଥିଲେ । ଏଥରେ ୨୬ ପର୍ଯ୍ୟଟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଓଡିଆ ସାମିଲ । ଏହି ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ସହ ଅଟାରୀ ଚେକ ପୋଷ୍ଟ ବନ୍ଦ କରାଯାଇଛି । ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡି ଚାଲି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ପାକିସ୍ତାନୀ ଭାରତ ଛାଡି ଚାଲି ଯାଇଥିବା ବେଳେ ଏବେ ବି ଅନେକ ଯିବାକୁ ପ୍ରସ୍ତୁତ ନାହାନ୍ତି ।