ନୂଆଦିଲ୍ଲୀ: ପହଲଗାମ ପ୍ରତିଶୋଧ ସ୍ୱରୁପ ଭାରତ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଉପରେ ପୁଣି ଏକ କୂଟନୈତିକ ପ୍ରହାର କରିଛି । ପାକିସ୍ତାନ ସହିତ ସମସ୍ତ ପ୍ରହାର ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି ଭାରତ । ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଜିନିଷ ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଜାରି କରାଯାଇଛି । ଅର୍ଥାତ ଏବେ ଠାରୁ ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାର ଦ୍ରବ୍ୟ ନେଣଦେଣ ହେବ ନାହିଁ । ଏ ନେଇ କେନ୍ଦ୍ର ବାଣିଜ୍ୟିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ବାଣିଜ୍ୟ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, ଭାରତ ପାକିସ୍ତାନରୁ ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ନିଷେଧ କରିଛି । ବୈଦେଶିକ ବାଣିଜ୍ୟ ନୀତି (FTP) ୨୦୨୩ରେ "ପାକିସ୍ତାନରୁ ଆମଦାନୀ ଉପରେ ନିଷେଧ" ଶୀର୍ଷକ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପାକିସ୍ତାନରେ ଉତ୍ପନ୍ନ କିମ୍ବା ରପ୍ତାନୀ ହୋଇଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀ କିମ୍ବା ପରିବହନ ତ୍ୱରିତ ପ୍ରଭାବ ସହିତ ନିଷେଦ୍ଧ କରାଯାଇଛି । ଏହା ଗତକାଲି (ମେ ୨ ତାରିଖ)ର ବିଜ୍ଞପ୍ତିରେ କୁହାଯାଇଛି । ଏହି କଟକଣା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିର ସ୍ୱାର୍ଥରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ବୋଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) ବିଜ୍ଞପ୍ତିରେ କହିଛି । ଏହାର ଅର୍ଥ ପାକିସ୍ତାନରୁ କୌଣସି ଉତ୍ପାଦ ଭାରତ ଆଉ ଆଣିବ ନାହିଁ । ଯଦି କେହି ପାକ୍ ସହିତ ବ୍ୟବସାୟ କରିବାକୁ ଚାହିଁବେ ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ବାଧ୍ୟତାମୂଳକ ଅଟେ । ତେବେ କେଉଁ କେଉଁ ଦ୍ରବ୍ୟ ଆମଦାନୀ ଉପରେ କଟକଣା ଲାଗୁ କରାଯିବ ସେ ନେଇ ତାଲିକା ପ୍ରସୁତ କରାଯାଉଛି ବୋଲି କୁହାଯାଇଛି ।