ପାଣାଜୀ: ଗୋଆର ଶିରଗାଓଁରେ ଅନୁଷ୍ଠିତ ଶ୍ରୀ ଲଇରାଇ ଯାତ୍ରା' ସମୟରେ ଶୁକ୍ରବାର-ଶନିବାର ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଲଇରାଇ ମନ୍ଦିରରେ ଦଳାଚକଟା ଘଟି ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ହଠାତ୍ ପ୍ରବଳ ଭିଡ଼ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, ଯାହା ଫଳରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଦଳାଚକଟା ସମୟରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଥିଲା ଏବଂ ଲୋକମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲେ, ପରସ୍ପର ଉପରେ ପଡ଼ିଯାଉଥିଲେ।
-
ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଦଳାଚକଟା ପଛର କାରଣକୁ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିନାହାଁନ୍ତି। କିନ୍ତୁ ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଅତ୍ୟଧିକ ଭିଡ଼ ଏବଂ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ଏହି ଦୁର୍ଘଟଣା ଘଟିଛି। ଘଟଣା ସମ୍ପର୍କିତ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି। ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆହତଙ୍କ ଅବସ୍ଥା ଜାଣିବା ପାଇଁ ହସ୍ପିଟାଲ ପରିଦର୍ଶନ କରିଥିଲେ।
ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଶ୍ରୀଦେବୀ ଲଇରାଇ ଯାତ୍ରା ସମୟରେ ଦଳାଚକଟା ହୋଇଥିଲା। ଏଥିରେ ହଜାର ହଜାର ଭକ୍ତ ଅଂଶଗ୍ରହଣ କରିଥିଲେ। ଯାତ୍ରା ପାଇଁ ପ୍ରାୟ ୧୦୦୦ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିଲା। ଭିଡ଼ ଗତିବିଧି ଉପରେ ଆକାଶ ମାର୍ଗରେ ନଜର ରଖିବା ପାଇଁ ଡ୍ରୋନ ମଧ୍ୟ ନିୟୋଜିତ କରାଯାଇଥିଲା। ଏହାପୂର୍ବରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ସାୱନ୍ତ, ତାଙ୍କ ପତ୍ନୀ ସୁଲକ୍ଷନା, ରାଜ୍ୟସଭା ସାଂସଦ ସଦାନନ୍ଦ ଶେଟ ତନାଭେଡେ ଏବଂ ବିଧାୟକ ପ୍ରେମେନ୍ଦ୍ର ଶେଟ ଏବଂ କାର୍ଲୋସ ଫେରେରା ଏହି ସ୍ଥାନ ପରିଦର୍ଶନ କରିଛନ୍ତି।
ଅଧିକ ପଢ଼ନ୍ତୁ: କ୍ରମାଗତ ନବମ ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ