ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ କାରକେଡ୍ ସହ ଏକ ଅଜଣା ଗାଡ଼ି ଧକ୍କା ହୋଇଛି । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ସହିତ ୯ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ଜୟପୁରର ମହାତ୍ମା ଗାନ୍ଧୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ ଆଇସିୟୁରେ ରଖାଯାଇଛି ।
ବୁଧବାର ଅପରାହ୍ନରେ ଜୟପୁରର ଏନଆରଆଇ ଛକ ନିକଟରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ କାରକେଡ୍ ବାହାରିବାବେଳେ ଏକ କାର୍ ରଙ୍ଗ୍ ରୁଟ୍ ରେ ଆସି କାରକେଡକୁ ଧକ୍କା ଦେଇଥିଲା । କାରକେଡର ଗୋଟିଏ ଗାଡ଼ି କାର ସହ ଧକ୍କା ହେବାରୁ ବଞ୍ଚିବାକୁ ଯାଇ ଡିଭାଇଡରରେ ପିଟି ହୋଇଥିଲା । ଏମିତି ତିନୋଟି ଗାଡ଼ି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜେ କାରରୁ ଓହ୍ଲାଇ ଆସି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଆହତମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏମିତିକି ଭଜନଲାଲ ନିଜେ ଆହତଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଧିକାରୀଙ୍କ କହିବା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପାଇଁ କୌଣସି ଟ୍ରାଫିକ୍ କଟକଣା ଲଗାଇବାକୁ ଭଜନଲାଲ ନିଜେ ମନା କରିଥିଲେ । ଯେତେବେଳେ ତାଙ୍କ କାରକେଡ୍ ଏନଆରଆଇ ଛକ ଦେଇ ଯାଉଥିଲା ସେତେବେଳେ ଏହି ଦୁର୍ଘଟଣା ହୋଇଛି ।