ଖବର ଓଡ଼ିଶା: ଗତ କିଛି ଦିନ ମଧ୍ୟରେ ଦେଶରେ ଲଗାତର ରେଳ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ବିରୋଧୀ ଏବେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ସଦସ୍ୟ । ଏହାର କଡ଼ା ଜବାବ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି ଯେ ଆମେ ଖାଲି ରିଲ୍ସ କରୁନା, ଆମେ କାମ କରିବା ଲୋକଙ୍କ ମଧ୍ୟରେ ଆସୁ ।
ଟ୍ରେନ୍ ଦୁର୍ଘଟଣାକୁ ନେଇ ବିରୋଧୀଦଳ ନେତାମାନେ ସଂସଦରେ ହଙ୍ଗାମା କରିଛନ୍ତି । ବିରୋଧୀଙ୍କ ଉତ୍ତେଜନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ କେନ୍ଦ୍ର ରେଳ ମନ୍ତ୍ରୀ । ସେ ବିରୋଧୀ କଂଗ୍ରେସକୁ ପାଲଟା ଆକ୍ରମଣ କରିଥିଲେ । ମନ୍ତ୍ରୀ ପାଲଟା ପ୍ରଶ୍ନ କରି ପଚାରିଥିଲେ ଯେ ଯେଉଁମାନେ ଏଠାରେ ପାଟିତୁଣ୍ଡ କରୁଛନ୍ତି ସେମାନଙ୍କୁ ପଚରାଯିବା ଉଚିତ ଯେ ସେମାନେ ୫୮ ବର୍ଷ କ୍ଷମତାରେ ଥିବା ଭିତରେ କାହିଁକି ଏକ କିଲୋମିଟର ଅଟୋମେଟିକ୍ ଟ୍ରେନ୍ ସୁରକ୍ଷା (ଏଟିପି) ସ୍ଥାପନ କରିପାରିଲେ ନାହିଁ । ଆଜି ସେମାନେ ପ୍ରଶ୍ନ ଉଠାଇବାକୁ ସାହସ କରୁଛନ୍ତି, ଯେତେବେଳେ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିଲେ, ରେଳ ଦୁର୍ଘଟଣା ସଂଖ୍ୟା ୦.୨୪ ରୁ ୦.୧୯ କୁ ହ୍ରାସ ପାଇଥିଲା , ଆଉ ଏହି ସଦସ୍ୟମାନେ ଗୃହରେ ତାଳି ମାରିଥିଲେ । କିନ୍ତୁ ଆଜି ଏହା ୦.୧୯ ରୁ ହ୍ରାସ ପାଇ ୦.୦୩ କୁ ଆସିଛି । ତେଣୁ ସେମାନେ ଏହି ଦୋଷାରୋପ କରୁଛନ୍ତି ।
ଏହା ପରେ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସରକାର ରେଳ ବିଭାଗରେ କରିଥିବା କାର୍ଯ୍ୟର ତାଳିକା ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତିବର୍ଷ ଦୁଇ କୋଟି ଲୋକ ରେଳ ଯୋଗେ ଯାତ୍ରା କରନ୍ତି । ବିରୋଧୀ ଦଳର ନେତାମାନେ ରେଳ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯେଉଁଠାରେ ପ୍ରତିବର୍ଷ ଏକ ସ୍କୁଲ ବସ୍ କିମ୍ବା ଦୁର୍ଘଟଣା ଘଟୁଥିଲା, ରେଳ ଦୁର୍ଘଟଣାକୁ ରୋକିବା ପାଇଁ ସାରା ଦେଶରେ ମାନବ ବିହୀନ ରେଳ କ୍ରସିଂ କରାଯାଇଛି । ଷ୍ଟେସନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଇଲେକ୍ଟ୍ରୋନିକ୍ ଇଣ୍ଟରଲକ୍ ମାଧ୍ୟମରେ କରାଯାଇଥାଏ । ବଡ ଦେଶମାନଙ୍କରେ ୧୯୮୦-୯୦ ଦଶକରେ ଏହା କାର୍ଯ୍ୟ କରୁଥିଲା । ମାତ୍ର ଆମ ଦେଶରେ ଧୀର ଗତିରେ ଚାଲିଥିଲା । ୨୦୧୪ ରେ ବିଜେପି ସରକାର ଆସିବା ପରେ ୨୦୧୫ରେ ଏଟିପି କରିବାକୁ ସ୍ଥିର କଲୁ ଏବଂ ୨୦୧୬ରେ କବଚ ପରୀକ୍ଷା ଆରମ୍ଭ ହେଲା । କୋଭିଡ ସମୟରେ ମଧ୍ୟ ସରକାର ପରୀକ୍ଷା ଜାରି ରଖିଥିଲା ବୋଲି ମନ୍ତ୍ରୀ ଜବାବ ରଖିଥିଲେ ।