ନୂଆଦିଲ୍ଲୀ: ସଂସଦରେ ମହିଳା ସଂରକ୍ଷଣ ବିଲ୍ ଏସିଡ୍ ଟେଷ୍ଟରେ ବିଫଳ ହେବା ପରେ ଆଜି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ବିରୋଧୀ ଦଳ ବହୁତ ବଡ଼ ଭୁଲ କରିଛନ୍ତି, ଏହାର ପରିଣାମ ଭୋଗିବାକୁ ପଡ଼ିବ । ଶନିବାର ବସିଥିବା କ୍ୟାବିନେଟ୍ ବୈଠକରେ ମନ୍ତ୍ରୀମଣ୍ଡଳକୁ ମୋଦୀ ଏହା କହିଥିବା ସୂଚନା ମିଳିଛି ।
ଆଜି କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମଣ୍ଡଳକୁ କହିଛନ୍ତି, ବିରୋଧୀ ଦଳକୁ ପରିଣାମ ଭୋଗିବାକୁ ପଡିବ ଏବଂ ମହିଳାମାନଙ୍କୁ ଜବାବ ଦେବାକୁ ପଡିବ । ସେମାନେ ଦେଶର ମହିଳାମାନଙ୍କୁ ନିରାଶ କରିଛନ୍ତି। ଏହି ବାର୍ତ୍ତା ଦେଶର ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ଗ୍ରାମକୁ ପହଞ୍ଚାଇବା ଉଚିତ।
ସଂସଦରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବାକୁ ଦାବି କରୁଥିବା ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ଲୋକସଭାରେ ପାରିତ ହେବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ତିନି ଦିନ ବହୁ ତର୍କ ବିତର୍କ ହୋଇଥିଲା । ଶୁକ୍ରବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ସଂସଦ ସରଗରମ ରହିଥିଲା । କିନ୍ତୁ ବିଲ୍ କେବଳ ୨୯୮ ଭୋଟ ପାଇଥିବାବେଳେ ୨୩୦ ଜଣ ସାଂସଦ ବିପକ୍ଷରେ ମତଦାନ କରିଥିଲେ । ଫଳରେ ବିଲ୍ ଖାରଜ ହୋଇଥିଲା ।
ବିରୋଧୀ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିବାବେଳେ ସୀମା ପୁନଃନିର୍ଦ୍ଧାରଣ ବିଲକୁ ବିରୋଧ କରିଥିଲେ । ବିରୋଧୀ ଦାବି କରିଥିଲା ଦକ୍ଷିଣ ଭାରତ ରାଜ୍ୟ ଯଥା କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ସଂସଦରେ ସେମାନଙ୍କର ପ୍ରତିନିଧିତ୍ୱ ହ୍ରାସ ପାଇବାର ସମ୍ଭାବନା ରହିଛି । କିନ୍ତୁ ପ୍ରଧାନମନ୍ତ୍ରୀ ଆଲୋଚନାରେ ଅଂଶ ଗ୍ରହଣ କରି ଦୃଢ଼ତାର ସହ କହିଥିଲେ ଯେ ଲୋକସଭାରେ ଆସନ ସଂଖ୍ୟା ୫୪୩ ରୁ ୮୧୬ କୁ ବୃଦ୍ଧି ପାଇବା ପରେ ଦକ୍ଷିଣ ଭାରତର କୌଣସି ରାଜ୍ୟ ପ୍ରତି ଅନ୍ୟାୟ କରାଯିବ ନାହିଁ । ତେଣୁ ମହିଳାମାନଙ୍କୁ ସଂରକ୍ଷଣ ଦେବାର ଏହି ଗୁରୁତ୍ୱପୂର୍ଣ୍ଣ ସୁଯୋଗକୁ ଆମେ ସମସ୍ତେ ହାତଛଡ଼ା କରିବା ଉଚିତ୍ ନୁହେଁ। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ନ ଦେଖି ଜାତୀୟ ସ୍ୱାର୍ଥ ଦୃଷ୍ଟିକୋଣରୁ ଦେଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।