ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଜଷ୍ଟିସ ଜିତେନ୍ଦ୍ର କୁମାର ମାହେଶ୍ୱରୀ ଏବଂ ଜଷ୍ଟିସ ଅତୁଲ ଶରଦଚନ୍ଦ୍ର ଚାନ୍ଦୁରକରଙ୍କ ବେଞ୍ଚ୍ଙ୍କ ପକ୍ଷରୁ କଂଗ୍ରେସ ନେତାଙ୍କୁ ଝଟ୍କା ଲାଗିଛି। ପବନ ଖେଡ଼ା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୁୟାଁ ଶର୍ମାଙ୍କ ଉପରେ ଏକାଧିକ ପାସପୋର୍ଟ ରଖିବା ଏବଂ ବିଦେଶରେ ସମ୍ପତ୍ତି ଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହାପରେ ଶର୍ମାଙ୍କ ପକ୍ଷରୁ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆସନ୍ତୁ ଜାଣିବା ଏହି ଦୁଇଜଣ ନ୍ୟାୟମୂର୍ତ୍ତି କିଏ, ଯିଏ କି କଂଗ୍ରେସ ନେତାଙ୍କ ପକ୍ଷରୁ 'ଅପରାଧୀ ଏବଂ ଆତଙ୍କବାଦୀ' ଭଳି ବ୍ୟବହାର କରାଯାଉଥିବା ଯୁକ୍ତିକୁ ଖାରଜ କରିଦେଇଛନ୍ତି।
ଜଷ୍ଟିସ ଜିତେନ୍ଦ୍ର ମାହେଶ୍ୱରୀ
ଜଷ୍ଟିସ ଜେ. କେ. ମାହେଶ୍ୱରୀ ଭାରତୀୟ ସୁପ୍ରିମକୋର୍ଟର ଜଣେ ପ୍ରତିଷ୍ଠିତ ବିଚାରପତି। ସେ ତାଙ୍କର ନମ୍ରତା, ପ୍ରଶାସନିକ ଦକ୍ଷତା ଏବଂ ଐତିହାସିକ ସଫଳତା ପାଇଁ ଜଣାଶୁଣା।
ଜନ୍ମ ଓ ଶିକ୍ଷା: ୨୯ ଜୁନ୍ ୧୯୬୧ରେ ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଜନ୍ମ। ଗ୍ୱାଲିୟରର ଜିୱାଜୀ ବିଶ୍ୱବିଦ୍ୟାଳୟରୁ ସେ ଗ୍ରାଜୁଏସନ୍, LLB ଏବଂ LLM ଶେଷ କରିଥିଲେ। ସେ ମେଡିକାଲ୍ ଅବହେଳା ଉପରେ PhD ମଧ୍ୟ କରିଛନ୍ତି।
ଓକିଲାତିରୁ ବିଚାରପତି ଯାଏଁ: ୧୯୮୫ରେ ଓକିଲ ଭାବେ ନାମ ଲେଖାଇଥିଲେ। ଦୁଇ ଦଶନ୍ଧି ଧରି ମଧ୍ୟପ୍ରଦେଶ ହାଇକୋର୍ଟରେ ପ୍ରାକ୍ଟିସ୍ କରିବା ପରେ ୨୦୦୫ରେ ସେଠାରେ ବିଚାରପତି ଭାବେ ନିଯୁକ୍ତ ହେଲେ।
ଚିଫ୍ ଜଷ୍ଟିସ ଓ ସୁପ୍ରିମକୋର୍ଟ: ୨୦୧୯ରୁ ୨୦୨୧ ଯାଏଁ ସେ ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମର ମୁଖ୍ୟ ବିଚାରପତି (Chief Justice) ରହିଥିଲେ। ୩୧ ଅଗଷ୍ଟ ୨୦୨୧ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ସେ ୨୮ ଜୁନ୍ ୨୦୨୬ ରେ ଅବସର ନେବେ।
ଜଷ୍ଟିସ ଅତୁଲ ଏସ. ଚାନ୍ଦୁରକର
ନ୍ୟାୟମୂର୍ତ୍ତି ଅତୁଲ ଶରଦଚନ୍ଦ୍ର ଚାନ୍ଦୁରକର ଭାରତୀୟ ନ୍ୟାୟପାଳିକାରେ ନିଜର 'ସଂଯମ' ଏବଂ 'ଶାନ୍ତ ବ୍ୟବହାର' ପାଇଁ ପରିଚିତ।
ଜନ୍ମ ଓ ଶିକ୍ଷା: ମହାରାଷ୍ଟ୍ରର ଭୁସାବଲ୍ରେ ୭ ଏପ୍ରିଲ୍ ୧୯୬୫ରେ ଜନ୍ମ। ସେ ପୁଣେର ILS ଲ’ କଲେଜରୁ LLB ଡିଗ୍ରୀ ହାସଲ କରିଛନ୍ତି। ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଇନଗତ ପୁସ୍ତକ (Commentary) ମଧ୍ୟ ଲେଖିଛନ୍ତି।
କ୍ୟାରିୟର: ୨୧ ଜୁଲାଇ ୧୯୮୮ରେ ସେ ବାର୍ରେ ସାମିଲ ହୋଇଥିଲେ। ପରେ ନାଗପୁରରେ ଓକିଲାତି କରିଥିଲେ। ୨୦୧୩ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୧୬ରେ ସ୍ଥାୟୀ ବିଚାରପତି ହୋଇଥିଲେ।
ସୁପ୍ରିମକୋର୍ଟ: ମଇ ୨୦୨୫ରେ କଲେଜିୟମ ଦ୍ୱାରା ତାଙ୍କ ନାମ ସୁପାରିଶ କରାଯାଇଥିଲା ଏବଂ ୩୦ ମଇ ୨୦୨୫ ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।