ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧ ମଇଦାନରେ ଅସ୍ତ୍ରଶସ୍ତ୍ରର ପ୍ରବଳ ଅଭାବ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ସରକାରମାନେ ସାଧାରଣ ଗାଡ଼ି ନିର୍ମାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦେଇଥିଲେ ଏବଂ ଫୋର୍ଡ, ଜେନେରାଲ ମୋଟର୍ସ, ଫକ୍ସୱାଗନ୍ ଏବଂ ରୋଲ୍ସ-ରୟାଲ୍ସ ଭଳି ବଡ଼ କାର୍ କମ୍ପାନୀଗୁଡ଼ିକୁ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ଆଦେଶ ଦେଇଥିଲେ। ଦେଖୁ ଦେଖୁ କାରଖାନାଗୁଡ଼ିକରେ ଲଗ୍ଜୁରୀ କାର୍ ବଦଳରେ ଟ୍ୟାଙ୍କ, ମେସିନ୍ ଗନ୍ ଏବଂ ଯୁଦ୍ଧ ବିମାନ ପ୍ରସ୍ତୁତ ହେବାକୁ ଲାଗିଲା। 'ମାସ୍ ପ୍ରଡକ୍ସନ୍' ଟେକ୍ନୋଲୋଜି ବ୍ୟବହାର କରି ଫୋର୍ଡର ଫ୍ୟାକ୍ଟ୍ରିରେ ପ୍ରତି ୬୩ ମିନିଟରେ ଗୋଟିଏ ବୋମାବର୍ଷୀ ବିମାନ ତିଆରି ହେବାକୁ ଲାଗିଲା। କାର୍ କମ୍ପାନୀଗୁଡ଼ିକର ଏହି ଐତିହାସିକ ପରିବର୍ତ୍ତନକୁ 'ଲୋକତନ୍ତ୍ରର ଶସ୍ତ୍ରାଗାର' (Arsenal of Democracy) କୁହାଗଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧରେକାର୍ କାହିଁକି ଦିଆଯାଇଥିଲା ଏଭଳି ଆଦେଶ ?
ଇରାନ ଏବଂ ୟୁକ୍ରେନରେ ଚାଲିଥିବା ନିରନ୍ତର ଯୁଦ୍ଧ ମଧ୍ୟରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି। ଏବେ ଆମେରିକା ଏହି ଅଭାବକୁ ଦୂର କରିବା ପାଇଁ ଜେନେରାଲ ମୋଟର୍ସ (GM) ର ସିଇଓ ମ୍ୟାରି ବାରା ଏବଂ ଫୋର୍ଡ ମୋଟରର ସିଇଓ ଜିମ୍ ଫାର୍ଲେଙ୍କ ସହ ଯୋଗାଯୋଗ କରିଛି। ପ୍ରକୃତରେ ଗୋଳା-ବାରୁଦ, ମିସାଇଲ୍ ଏବଂ ମିଲିଟାରୀ ଯାନର ଚାହିଦା ଏତେ ବଢ଼ିଯାଇଛି ଯେ ପାରମ୍ପରିକ ଡିଫେନ୍ସ କଣ୍ଟ୍ରାକ୍ଟର (ଲକ୍ହିଡ୍ ମାର୍ଟିନ୍, ବୋଇଂ) ଯୋଗାଣ ପୂରଣ କରିପାରୁ ନାହାନ୍ତି। ତେବେ ଇତିହାସରେ ଏହା ପ୍ରଥମ ଥର ନୁହେଁ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ଏହା ଘଟିଥିଲା।
ସାଧାରଣ କାର୍ ଉପରେ ପ୍ରତିବନ୍ଧକ ଏବଂ ଅସ୍ତ୍ରଶସ୍ତ୍ରର ଚାହିଦା
୧୯୩୯ରେ ଯୁଦ୍ଧ ଆରମ୍ଭ ହେବା ଏବଂ ୧୯୪୧ (ପର୍ଲ ହାର୍ବର ଆକ୍ରମଣ) ପରେ ସେନାକୁ ରାତାରାତି ଲକ୍ଷ ଲକ୍ଷ ବନ୍ଧୁକ, ଟ୍ୟାଙ୍କ ଏବଂ ବିମାନର ଆବଶ୍ୟକତା ପଡ଼ିଲା। ଏତେ କମ୍ ସମୟରେ ନୂଆ ଫ୍ୟାକ୍ଟ୍ରି ଲଗାଇବା ଅସମ୍ଭବ ଥିଲା। ଷ୍ଟିଲ୍, ରବର ଏବଂ ଇନ୍ଧନର ଅଭାବ ଯୋଗୁଁ ସରକାରମାନେ ପ୍ରାଇଭେଟ୍ କାର୍ ନିର୍ମାଣ ବନ୍ଦ କରି ସେହି ସମ୍ବଳକୁ ଯୁଦ୍ଧ ପାଇଁ ସଂରକ୍ଷିତ କରିଦେଲେ।
କାର୍ କମ୍ପାନୀଗୁଡ଼ିକୁ ହିଁ କାହିଁକି ଦାୟିତ୍ୱ ମିଳିଲା?
ସରକାର ଜାଣିଥିଲେ ଯେ ଫୋର୍ଡ ଏବଂ ଜେନେରାଲ ମୋଟର୍ସ ପାଖରେ 'ଅସେମ୍ବଲି ଲାଇନ୍' ଟେକ୍ନୋଲୋଜିର ଦକ୍ଷତା ରହିଛି। ଯେଉଁ ଫ୍ୟାକ୍ଟ୍ରି ଦିନକୁ ହଜାର ହଜାର କାର୍ ଯୋଡ଼ିପାରୁଛି, ସେ କିଛି ସମୟ ମଧ୍ୟରେ ଟ୍ୟାଙ୍କ ବା ବିମାନ ମଧ୍ୟ ତିଆରି କରିପାରିବ।
ଏହି ଦୌଡ଼ରେ କେଉଁ କମ୍ପାନୀ କ’ଣ କଲେ?
ଫୋର୍ଡ (Ford): ମିସିଗାନ୍ର ୱିଲୋ ରନ୍ ପ୍ଲାଣ୍ଟରେ B-24 ଲିବରେଟର ବୋମାବର୍ଷୀ ବିମାନ ତିଆରି କଲା। ପ୍ରତି ୬୩ ମିନିଟରେ ଗୋଟିଏ ବିମାନ ପ୍ରସ୍ତୁତ ହେଉଥିଲା।
ଜେନେରାଲ ମୋଟର୍ସ (GM): ଟ୍ରକ୍, ଟ୍ୟାଙ୍କ ଏବଂ କମାଣ ଗୋଳା ତିଆରି କରି ମିତ୍ରଶକ୍ତି ସେନାକୁ ଶକ୍ତିଶାଳୀ କଲା।
ଫକ୍ସୱାଗନ୍ ଏବଂ ପୋର୍ସେ: ହିଟଲରଙ୍କ ଆଦେଶରେ ବିଟଲ୍ କାର୍ ଡିଜାଇନକୁ ସାମରିକ ଯାନ 'କୁବେଲୱାଗନ୍' (ଜର୍ମାନ ଜିପ୍) ରେ ପରିବର୍ତ୍ତନ କରାଗଲା।
ରୋଲ୍ସ-ରୟାଲ୍ସ: ବ୍ରିଟେନର ଏହି କମ୍ପାନୀ ଯୁଦ୍ଧ ବିମାନ ପାଇଁ ଶକ୍ତିଶାଳୀ 'ମର୍ଲିନ୍ ଇଞ୍ଜିନ୍' ତିଆରି କଲା।