ସରକାର EPFO ଅଧୀନରେ ବାଧ୍ୟତାମୂଳକ PF କଭରେଜ୍ ପାଇଁ ବର୍ତ୍ତମାନର ୧୫,୦୦୦ ଟଙ୍କା ମାସିକ ବେତନ ସୀମାକୁ ବୃଦ୍ଧି କରି ୨୫,୦୦୦ ରୁ ୩୦,୦୦୦ ଟଙ୍କା କରିବାକୁ ବିଚାର କରୁଛନ୍ତି। ଏହି ପଦକ୍ଷେପ ଦ୍ୱାରା ଲକ୍ଷ ଲକ୍ଷ ଅତିରିକ୍ତ କର୍ମଚାରୀ PF ଏବଂ ପେନସନ୍ ଲାଭ ପରିସରଭୁକ୍ତ ହେବେ, ଯେଉଁମାନେ ବର୍ତ୍ତମାନ କମ୍ ସୀମା ଯୋଗୁଁ ବାହାରେ ଅଛନ୍ତି। ଶେଷ ଥର ପାଇଁ ଏହି ସୀମା ୨୦୧୪ ମସିହାରେ ୬,୫୦୦ ରୁ ବୃଦ୍ଧି କରାଯାଇ ୧୫,୦୦୦ ଟଙ୍କା କରାଯାଇଥିଲା।
ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପ୍ରୋଭିଡେଣ୍ଟ ଫଣ୍ଡ୍ କଭରେଜ୍ ପାଇଁ ସାଲାରୀ ବଢ଼ାଇବାର ଏକ ଦୀର୍ଘ ଦିନର ବିଚାରାଧୀନ ପ୍ରସ୍ତାବ ଉପରେ ପୁଣି ଥରେ ବିଚାର କରୁଛି। ନିକଟରେ ଦରମା ବୃଦ୍ଧି ଯୋଗୁଁ ବହୁ ସଂଖ୍ୟକ କର୍ମଚାରୀ ସାମାଜିକ ସୁରକ୍ଷା ପରିସରରୁ ବାହାରି ଯିବାର ବିପଦ ସୃଷ୍ଟି ହୋଇଛି। EPFO ଅଧୀନରେ ବେତନ ସୀମାକୁ ବର୍ତ୍ତମାନର ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୫,୦୦୦ ଏବଂ ୩୦,୦୦୦ ଟଙ୍କା କରାଯାଇପାରେ। ବିଶେଷ କରି ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (NCR) ରେ ଶିଳ୍ପ କର୍ମଚାରୀଙ୍କ ଦରମାରେ ହୋଇଥିବା ବୃଦ୍ଧି ପରେ ଏହି ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରାଯାଇଛି। ଏହାର ପରିଣାମସ୍ୱରୂପ, ଅନେକ ଦକ୍ଷ କର୍ମଚାରୀ ବାଧ୍ୟତାମୂଳକ EPFO କଭରେଜ୍ରୁ ବାହାରି ଯାଇପାରନ୍ତି, ଯାହା ସରକାରଙ୍କ ‘ୟୁନିଭର୍ସାଲ ସୋସିଆଲ ସେକ୍ୟୁରିଟି’ ଲକ୍ଷ୍ୟକୁ କ୍ଷତି ପହଞ୍ଚାଇପାରେ।
ESIC ମଧ୍ୟ ସୀମା ବଢ଼ାଇବାକୁ ବିଚାର କରୁଛି
କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ଅଧୀନରେ ମଧ୍ୟ ବେତନ ସୀମା ବଢ଼ାଇବାକୁ ଅଧିକାରୀମାନେ ବିଚାର କରୁଛନ୍ତି, ଯଦ୍ୱାରା ‘Ease of Doing Business’ ପାଇଁ ଉଭୟ ଯୋଜନାକୁ ସମାନ ସ୍ତରକୁ ଅଣାଯାଇପାରିବ। ESIC ଅଧୀନରେ ବର୍ତ୍ତମାନର ବେତନ ସୀମା ୨୧,୦୦୦ ଟଙ୍କା ରହିଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମନ୍ତ୍ରଣାଳୟ କିଛି ରାଜ୍ୟରେ ବେତନ ବୃଦ୍ଧିର ସୂଚନା ପାଇଛନ୍ତି ଏବଂ ସାମାଜିକ ସୁରକ୍ଷା ଉପରେ ଏହାର ପ୍ରଭାବ ଆକଳନ କରୁଛନ୍ତି। ମନ୍ତ୍ରଣାଳୟ ଖୁବଶୀଘ୍ର ଆବଶ୍ୟକ ମଞ୍ଜୁରୀ ପାଇବା ପରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଆରମ୍ଭ କରିବେ।
ନିଯୁକ୍ତିଦାତାଙ୍କ ଉପରେ ବଢ଼ିବ ଚାପ
EPFO ଅଧୀନରେ ବାଧ୍ୟତାମୂଳକ ଯୋଗଦାନ ପାଇଁ ସାଲାରୀ ଲିମିଟ୍ ବଢ଼ିଲେ ଅଧିକ କର୍ମଚାରୀ ଆନୁଷ୍ଠାନିକ କାର୍ଯ୍ୟବଳରେ ସାମିଲ ହେବେ ଏବଂ ସେମାନଙ୍କ ରିଟାୟର୍ମେଣ୍ଟ ଫଣ୍ଡ୍ରେ ବୃଦ୍ଧି ଘଟିବ। ତେବେ ଏହାଦ୍ୱାରା ନିଯୁକ୍ତିଦାତା (Employers) ମାନଙ୍କ ବାଲାନ୍ସ ସିଟ୍ ଉପରେ ଆର୍ଥିକ ଚାପ ପଡ଼ିପାରେ। ସରକାର ଚାହୁଁଛନ୍ତି ଯେ ଏହି ପ୍ରସ୍ତାବକୁ EPFO ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ସାମ୍ନାରେ ରଖିବା ପୂର୍ବରୁ ସମସ୍ତ ପକ୍ଷଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଉ।
ସୁପ୍ରିମକୋର୍ଟ ମଧ୍ୟ ଦେଇଥିଲେ ଚେତାବନୀ
EPFO ସାଲାରୀ ଲିମିଟ୍ରେ ଶେଷ ସଂଶୋଧନ ୨୦୧୪ ମସିହାରେ କରାଯାଇଥିଲା, ଯେତେବେଳେ ଏହାକୁ ୬,୫୦୦ ଟଙ୍କାରୁ ବୃଦ୍ଧି କରି ୧୫,୦୦୦ ଟଙ୍କା କରାଯାଇଥିଲା। ନିକଟରେ ସୁପ୍ରିମକୋର୍ଟ ବଢ଼ୁଥିବା ବେତନ ହାର ଏବଂ ମୁଦ୍ରାସ୍ଫୀତି ଅନୁଯାୟୀ ଏହି ସୀମାକୁ ଅପଡେଟ୍ କରିବା ପାଇଁ ଗୁରୁତ୍ୱ ଦେଇଥିଲେ। କୋର୍ଟ ଚେତାବନୀ ଦେଇଥିଲେ ଯେ ବର୍ତ୍ତମାନର ସୀମା ଯୋଗୁଁ କାର୍ଯ୍ୟବଳର ଏକ ବଡ଼ ଅଂଶ ସାମାଜିକ ସୁରକ୍ଷା ପରିସରରୁ ବାହାରି ଯାଉଛନ୍ତି।