ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ବିରାମ ଲାଗିବାକୁ ଯାଉଛି । ଭାରତରେ ମୌସୁମୀ ପ୍ରବେଶ ପାଇଁ ସମସ୍ତ ପାଗ ଅନୁକୁଳ ହୋଇସାରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ପୂର୍ବରୁ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷର ମୌସୁମୀ ଦୀର୍ଘ ୧୬ ବର୍ଷର ରେକର୍ଡ ଭାଙ୍ଗିବାକୁ ଯାଉଛି ।
ପୂର୍ବରୁ ଆଇଏମଡି ଆକଳନ କରିଥିଲା ଯେ ଚଳିତବର୍ଷ ମୌସୁମୀ ଆଗମନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ମେ ୨୭ ତାରିଖ ସୁଦ୍ଧା ଭାରତରେ ମୌସୁମୀ ପ୍ରବେଶ କରିବା ନେଇ ପୂର୍ବାନୁମାନ କରାଯାଇଥିଲା । ଚଳିତ ବର୍ଷ ଭଲ ବର୍ଷା ହେବାର ଆକଳନ କରାଯାଇଛି । ଗତବର୍ଷ ମେ ୩୦ରେ ମୌସୁମୀ ପ୍ରବେଶ କରିଥିଲା ।
୨୦୦୯ ଏବଂ ୨୦୦୧ରେ ମୌସୁମୀ ଏପରି ଜଲଦି କେରଳରେ ପ୍ରବେଶ କରିଥିଲା । ମେ ୨୩ରେ ମୌସୁମୀ ଛୁଇଁଥିଲା । କେରଳରେ ପ୍ରାୟତଃ ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଆସିଥାଏ । କିନ୍ତୁ ୧୯୧୮ ମସିହାରେ ମେ ୧୧ରେ ମୌସୁମୀ ପ୍ରବେଶ କରିଥିଲା । ଯାହାକି ଆଜି ଯାଏଁ ଏହି ରେକର୍ଡ ଭାଙ୍ଗି ନାହିଁ । ଏହା ପରେ ୧୯୭୨ ମସିହାରେ ମେ ୧୮ ତାରିଖରେ ମୌସୁମୀ ପ୍ରବେଶ କରିଥିଲା । ୨୦୧୬ରେ ସବୁଠାରୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଜୁନ୍ ୯ ତାରିଖରେ ମୌସୁମୀ ଛୁଇଁ ଥିଲା ।