ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନହୁଣ୍ଡି ଅର୍ଥ ଗଣତି ଶେଷ ହୋଇଛି। ଅଧିକାରୀଙ୍କ ଉପସ୍ଥିତରେ ସରିଲା ଦାନହୁଣ୍ଡି ଗଣତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସରିଲା ରାୟଗଡାର ଅଧିଷ୍ଠାତ୍ରୀ ମା ମଝିଘରିଆଣୀଙ୍କ ଦାନହୁଣ୍ଡୀ ଗଣତି। ଆଜି ଗଣତି କାର୍ଯ୍ୟରେ ବିଭିନ୍ନ ସାମାଜିକ ସଂଗଠନର ମହିଳା ନିୟୋଜିତ ହୋଇଥିଲେ।
ସକାଳ ୯ଟାରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ମାଁଙ୍କ ପୂଜାର୍ଚ୍ଚନା ପରେ ୬ମାସ ବ୍ୟବଧାନରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଗଣତି ହୋଇଥିଲା। ଦୀର୍ଘ ୮ ଘଣ୍ଟା ଧରି ଗଣତି ହୋଇଥିଲା। ଚଳିତବର୍ଷ ହୁଣ୍ଡିରୁ ନଗଦ ୧କୋଟି ୫ଲକ୍ଷ ୫୨ହଜାର ୮୫୪ଟଙ୍କା, ୨କିଲୋ ୧୫୦ ଗ୍ରାମ ରୂପା ଓ ୩୦ ଗ୍ରାମ ସୁନା ବାହାରିଛି। ଏଥିସହିତ ବିଭିନ୍ନ ପ୍ରକାର ୫ ଟି ଦେଶର ୨୩ ଟି ବିଦେଶୀ ନୋଟ ମଧ୍ୟ ବାହାରିଛି। ଯେଉଁଥିରେ ରହିଛି ଆମେରିକା, ଶ୍ରୀଲଙ୍କା ଓ ୟୁଏଇ ଦେଶର ନୋଟ ଓ ମୁଦ୍ରା। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ଏଥିସହ ଗୋଟିଏ ଲେଖାଏ ଅଚଳ ୫୦୦ ଓ ୨୦୦୦ ଏବଂ ଗୋଟିଏ ୧ ହଜାର ଟଙ୍କା ନୋଟ ବାହାରିଛି।
ଏହା ପୂର୍ବରୁ ଜୁଲାଇ ୭ ତାରିଖରେ ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ସହିତ ୮୩ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ବାହାରିଥିଲା। ତେବେ ଆଜି ସଂଗ୍ରହ ହୋଇଥିବା ସମସ୍ତ ଅର୍ଥ ଓ ସୁନା ଓ ରୂପାକୁ ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ୱତନ୍ତ୍ର ବସରେ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି। ଏହି ଦାନ ଅର୍ଥ ୟୁନିୟନ୍ ବ୍ୟାଙ୍କରେ ଜମା କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ: ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି, ଗଣତିରେ ୨୫୦ ମହିଳା ନିୟୋଜିତ