ନୂଆଦିଲ୍ଲୀ: ଆସନ୍ତାକାଲି ଭାରତୀୟ ଜନତା ପାର୍ଟିକୁ ମିଳିବ ତାର ୨୯ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ନୀତିନ ନବୀନ ପୂର୍ଣ୍ଣ କାଳୀନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ସୋମବାର ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ନୀତିନ ନବୀନ ଏକାକୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତେବେ ଆସନ୍ତାକାଲି କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି ।
ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡା, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ନୀତିନଙ୍କ ପ୍ରସ୍ତାବକ ରହିଛନ୍ତି । ଏହା ପରେ ୩୦ ରାଜ୍ୟର ପ୍ରସ୍ତାବକମାନେ ଜଣକ ପରେ ଜଣେ ପ୍ରସ୍ତାବ ରଖିଥିଲେ । ଓଡ଼ିଶାରୁ ମଧ୍ୟ ୪୦ ଜଣିଆ ପ୍ରସ୍ତାବକ ରହିଥିଲେ । ଶେଷରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନୀତିନ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।
ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । କେବଳ ନୀତିନ ଜଣେ ମାତ୍ର ପ୍ରାର୍ଥୀ ଥିବାରୁ ନିର୍ବାଚନ ହେବ ନାହିଁ । ଦଳର ଜାତୀୟ ନିର୍ବାଚନ ଅଧିକାରୀ ବିଧିବଦ୍ଧଭାବେ ନୀତିନଙ୍କ ନାମକୁ ବିଜୟୀ ଘୋଷଣା କରିବେ । ଏହା ସହିତ ଦଳ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଏଥିରେ ସାମିଲ ହେବେ । ତତସହିତ ବିଭିନ୍ନ୍ ରାଜ୍ୟର ବିଜେପିର ଆଗଧାଡ଼ିର ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ ଯୋଗ୍ୟ, ୨୦୨୦ରେ ଜେପି ନଡ୍ଡା ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷ ହୋଇଥିଲା । ବିଜେପିରେ ପ୍ରତି ତିନି ବର୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ତାଙ୍କର କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସେ ୨୦୨୫ ଯାଏଁ ସଭାପତି ଦାୟିତ୍ୱ ତୁଲାଇଥିଲେ । ଏହା ପରେ ବିଜେପି ଗତ ଡିସେମ୍ବର ୧୪ ତାରିଖରେ ନୀତିନ ନବୀନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ଘୋଷଣା କରିଥିଲା ।
ନୀତିନ ନବୀନ ବିହାରରୁ ପାଞ୍ଚ ଥର ବିଧାୟକ ଏବଂ ତିନି ଥର ମନ୍ତ୍ରୀ ରହିସାରିଛନ୍ତି । ଦଳ ଜଣେ ଯୁବ ନେତୃତ୍ୱଙ୍କୁ ଆଗକୁ ଆଣି ଯୁବପୀଢ଼ିଙ୍କୁ ନେତୃତ୍ୱ ନେବାର ସମୟ ଆସିଛି ବୋଲି ବାର୍ତ୍ତା ଦେବାକୁ ଚାହିଁଛି ।