ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ମାରକ ପାଇଁ ସରକାରଙ୍କ ପକ୍ଷରୁ ପରିବାରକୁ ଜମି ପ୍ରଦାନ କରାଯାଇଛି। ଏହି ଜମି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକ ନିର୍ମାଣ ପାଇଁ ସ୍ଥିର ଜାଗା ନିକଟରେ ରହିଛି। ଏଥିସହ ମନମୋହନ ସିଂଙ୍କ ପରିବାର ପକ୍ଷରୁ ଟ୍ରଷ୍ଟ ଗଠନକୁ ସରକାରଙ୍କ ପକ୍ଷରୁ ଅପେକ୍ଷା କରାଯାଇଛି। ଏହା ପରେ ଆନୁଷ୍ଠାନିକ ଜମି ଆବଣ୍ଟନ କରାଯିବ।
ସିଏନଏନ ନ୍ୟୁଜ ୧୮ର ରିପୋର୍ଟ ଅନୁଯାୟୀ, ଟ୍ରଷ୍ଟକୁ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଦିଆଯିବ। ଏହି ରାଶିକୁ ସ୍ମାରକ ନିର୍ମାଣରେ ଖର୍ଚ୍ଚ କରାଯିବ। ମନମହୋନ ସିଂହଙ୍କ ନିଧନ ପରଠୁ ସରକାର ସ୍ମାରକ ନିର୍ମାଣ ପାଇଁ ଜମି ଖୋଜୁଥିଲେ। ଏଥିପାଇଁ ସର୍ଭେ ବି କରାଯାଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ସିପିଡବ୍ଲ୍ୟୁ ମିଶି ମନମୋହନ ସିଂଙ୍କ ସ୍ମାରକ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି।
ଆବଣ୍ଟିତ ଜମି ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଅନ୍ତର୍ଗତରେ ଆସୁଛି, ଯାହାକୁ ୟୁପିଏ ସରକାର ୨୦୧୩ରେ ଏକ ପ୍ରସ୍ତାବ ଗୃହୀତ କରିଥିଲେ। ଏହି ପରିସରରେ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟ ସ୍ମାରକ ରହିଛି। ଜାନୁଆରୀ ଆରମ୍ଭରେ ସିପିଡବ୍ଲ୍ୟୁର ଅଧିକାରୀ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଗସ୍ତ କରିଥିଲେ ଏବଂ ସଞ୍ଜୟ ଗାନ୍ଧୀଙ୍କ ସମାଧି ନିକଟରେ ଜାଗା ଦେବା ନେଇ ଆଲୋଚନା ହୋଇଥିଲା। ଏପରିକି ଆଉ କିଛି ଜାଗାର ପ୍ରସ୍ତାବ ମନମୋହନ ସିଂହଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା। ତେବେ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକ ନିକଟଟରେ ମିଳୁଥିବା ଜମି ଉପରେ ଏବେ ସହମତି ପ୍ରକାଶ ପାଇଛି।
ଉଲ୍ଲେଖନୀୟ ମନମୋହନଙ୍କ ନିଧନ ପରେ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଜନୀତି ଜୋର ଧରିଥିଲା। ସ୍ମାରକ ସ୍ଥଳ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଥିଲେ। ଖଡ଼ଗେ ଦାବି କରିଥିଲେ ଯେ, ମନମୋହନଙ୍କ ଅନ୍ତିମ ସଂସ୍କାର ସେହି ସ୍ଥାନରେ କରାଯାଉ ଯେଉଁଠି ସ୍ମାରକ ନିର୍ମାଣ କରାଯାଇ ପାରିବ। ଏହା ଉପରେ ସରକାର କହିଥିଲେ ଯେ, ଆମେ ସ୍ମାରକ ପାଇଁ ଜମି ସନ୍ଧାନ ପ୍ରକ୍ରିୟା ଆରମ୍ଭ କରି ଦେଇଛୁ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ନିଗମ ବୋଧ ଘାଟରେ କରାଯାଇଥିଲା। ଏହା ଉପରେ କଂଗ୍ରେସ ସମେତ ଅନେକ ଦଳ ଆପତ୍ତି ପ୍ରକାଶ କରିଥିଲେ।