ଦିଲ୍ଲୀରେ ରେଖା ସରକାର ମଙ୍ଗବଳାର ବିଧାନସଭାରେ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏକ ବିରାଟ ବୃଦ୍ଧି କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ବଜେଟ ଭାଷଣରେ ଅନେକ ବଡ଼ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ୨୦୨୫-୨୬ରେ ଦିଲ୍ଲୀର ବଜେଟ ୧ ଲକ୍ଷ କୋଟି ଟଙ୍କା ହେବ। ଯାହା ପୂର୍ବ ଆର୍ଥିକ ବର୍ଷ ୨୨୦୨୪-୨୫ ତୁଳନାରେ ୩୧.୫ପ୍ରତିଶତ ଅଧିକ।
ଏଥର ଦିଲ୍ଲୀ ବଜେଟର ଥିମ ‘ବିକଶିତ ଦିଲ୍ଲୀ’ ରହିଛି । ରେଖା ସରକାର ସର୍ବପ୍ରଥମେ ଯମୁନା ସଫେଇ ଯୋଜନାକୁ ନେଇ ୯ ହଜାର କୋଟିର ବଜେଟ୍ ରଖିଛନ୍ତି । ଦିଲ୍ଲୀରେ ଯମୁନା ସଫା କରିବା ଏବଂ ସଫା ନର୍ଦ୍ଦମା ପାଣି ପାଇଁ ୯୦୦୦କୋଟି ଟଙ୍କାର ବଜେଟ ଦିଆଯାଇଛି। ଡ୍ରେନର ମଇଳା ପାଣି ଯମୁନା ନଦୀରେ ନ ପଡ଼ିବା ପାଇଁ ୫୦୦ କୋଟି ଟଙ୍କା ବ୍ୟୟରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ କାମ କରାଯିବ।
ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାରଙ୍କ ବଜେଟ୍ ପୂର୍ବ ଆପ୍ ସରକାରଙ୍କ ବଜେଟ୍ ତୁଳନାରେ ୩ ଗୁଣା ଅଧିକ । ଏଥି ସହ ନୂଆ ପାଣି ପାଇପଲାଇନ୍ ସ୍ଥାପନ କରାଯିବ । ସ୍ୱରେଜ ଲାଇନ୍ ବିସ୍ତାର କରାଯିବ । ରାଜଧାନୀର ପ୍ରତ୍ୟେକ ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯିବ ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ସମୟରେ ଦିଲ୍ଲୀବାସୀଙ୍କୁ କହିଥିଲେ ଯେ ସେ ଯମୁନାକୁ ସମ୍ପୂର୍ଣ୍ଣ ଭାବେ ସଫା କରିବେ। ଯମୁନାକୁ ସଫା କରିବା ମଧ୍ୟ ଦିଲ୍ଲୀ ବିଜେପି ସରକାରଙ୍କ ଆକ୍ସନ ପ୍ଲାନରେ ପ୍ରଥମ ପ୍ରାଥମିକତା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।