ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ମୁସ୍କିଲ ପୁଣି ଥରେ ବଢିବାକୁ ଯାଉଛି। ଦିଲ୍ଲୀର ଏକ ଅଦାଲତ କେଜ୍ରିଓ୍ଵାଲଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଆଦେଶ ଦେଇଛନ୍ତି। ଜନତାଙ୍କ ଅର୍ଥର ଦୁରୁପଯୋଗ ଅଭିଯୋଗରେ କେଜ୍ରିଓ୍ଵାଲ ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୋର୍ଟ କହିଛନ୍ତି। ଏଥିସହ କୋର୍ଟ ଦିଲ୍ଲୀ ପୋଲିସକୁ ମାର୍ଚ୍ଚ ୧୮ ତାରିଖ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି।
ଏହି ମାମଲା ୨୦୧୯ର। ଦ୍ଵାରକାରେ ବଡ଼ ହୋର୍ଡିଂ ଲଗାଯିବା ନେଇ ଅଭିଯୋଗ ହୋଇଥିଲା। ଅରବିନ୍ଦ କେଜ୍ରିଓ୍ଵାଲ, ମାଟିଆଲାର ସେ ସମୟର ବିଧାୟକ ଗୁଲାବ ସିଂ ଓ ଦ୍ଵାରକାର କାଉନସିଲର ନୀତିକା ଶର୍ମାଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଦାବି ହୋଇଥିଲା। ଅତିରିକ୍ତ ମୁଖ୍ୟ ଦୌରା ଜଜ ନେହା ମିତ୍ତଲ ଆବେଦନ ସ୍ଵୀକାର କରି କେଜ୍ରିଓ୍ଵାଲ ଓ ଅନ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି।
ଏହା ପୂର୍ବରୁ ଯେବେ ଏହି ସବୁ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଦାବି କରାଯାଇଥିଲା, ସେହି ସମୟରେ ମାଜିଷ୍ଟ୍ରେଟ୍ ଆବେଦନ ଖାରଜ କରିଥିଲେ। ଏହା ପରେ ଅଭିଯୋଗକାରୀ ସେସନ କୋର୍ଟରେ ରିଭିଜନ ପିଟିସନ ଦାଖଲ କରିଥିଲେ। ସେସନ କୋର୍ଟ ପୁନର୍ବାର ମାମଲାକୁ ନିମ୍ନ କୋର୍ଟକୁ ପଠାଇ ଏଥିରେ ଅପରାଧିକ ମାମଲା ରୁଜୁ ହୋଇ ପାରିବ କି ନାହିଁ ପ୍ରଶ୍ନ କରିଥିଲେ। ଏହା ପରେ ମାଜିଷ୍ଟ୍ରେଟ୍ କୋର୍ଟ ପୁନର୍ବାର ଶୁଣାଣି କରିଛନ୍ତି ଏବଂ ମଙ୍ଗଳବାର ଆବେଦନ ସ୍ଵୀକାର କରି କେସ୍ ରୁଜୁ କରିବାକୁ ଆଦେଶ ଦେଇଛନ୍ତି।
ଏହା ପୂର୍ବରୁ କେଜ୍ରିଓ୍ଵାଲ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହି ସାରିଛନ୍ତି। ଏଥିରେ ତାଙ୍କୁ ଅନେକ ମାସ ଜେଲ୍ରେ ବି ରହିବାକୁ ପଡ଼ିଛି। ସଂପ୍ରତି କେଜ୍ରିଓ୍ବାଲ ଉକ୍ତ କେସରେ ଜାମିନରେ ଅଛନ୍ତି। ତେବେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ କୋର୍ଟଙ୍କ ସଦ୍ୟତମ ଆଦେଶ ଉପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନି।