ଉତ୍ପାଦ ବିକ୍ରି ପାଇଁ ଖବରକାଗଜରେ ଯେଉଁ ଆକାରରେ ବିଜ୍ଞାପନ ଦେଉଛ, ସେହି ଆକାରରେ କ୍ଷମାପ୍ରାର୍ଥନା ଛାପ। ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ମଙ୍ଗଳବାର ଏଭଳି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଉତ୍ପାଦ ବିକ୍ରି ପାଇଁ ଖରବକାଗଜର ଯେତିକି ଜାଗାରେ, ଯେଉଁ ଆକାର ଅକ୍ଷରରେ ବିଜ୍ଞାପନ ଛପାଯାଉଛି, କ୍ଷମାପ୍ରାର୍ଥନା ବି ସେହିଭଳି ହେବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ନିଜର ଉତ୍ପାଦ ବିକ୍ରୟ ପାଇଁ ଗଣମାଧ୍ୟମରେ ଦେଉଥିବା ବିଜ୍ଞାପନ ଭ୍ରମାତ୍ମକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ। ତେଣୁ ଜନସାଧାରଣଙ୍କୁ କ୍ଷମା ମାଗିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ୬୭ଟି ଖବରକାଗଜରେ କ୍ଷମା ମଗାଯାଇଛି ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଅଟେ। ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟର ଗାରିମାକୁ ସମ୍ମାନ କରେ। ଭବିଷ୍ୟତରେ ଏଭଳି ଭୁଲ ଆଉ ହେବ ନାହିଁ ବୋଲି ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଛି। ତେବେ ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ ସୁପ୍ରିମକୋର୍ଟର ଶୁଣାଣି ପୂର୍ବରୁ ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଥିଲା? ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି?
ସୁପ୍ରିମକୋର୍ଟ କହିଛନ୍ତି, ଏଫଏମସିଜି ମଧ୍ୟ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରୁଛି ଯାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି, ଯାହାଦ୍ୱାରା ଶିଶୁ, ବିଦ୍ୟାଳୟ ଯାଉଥିବା ପିଲା ଏବଂ ସେମାନଙ୍କ ଉତ୍ପାଦ ଖାଉଥିବା ବୟସ୍କ ନାଗରିକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ କୋର୍ଟ କହିଛନ୍ତି। ତିନି ବର୍ଷ ଧରି ବିଭ୍ରାନ୍ତିକର ବିଜ୍ଞାପନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ : ପ୍ରାର୍ଥୀପତ୍ର ଦାଖଲ କଲେ ନବରଙ୍ଗପୁରର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନେ