ନୂଆଦିଲ୍ଲୀ: କ୍ରିକେଟରେ ଧମାଲ ମଚାଇବା ପରେ ଭାରତୀୟ ଦଳରେ ନିଜର ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିବା ସରଫରାଜ ଖାନଙ୍କ ଘରେ ଖୁସି ଆସିଛି। ସର୍ଫରାଜ ଖାନଙ୍କ ପତ୍ନୀ ରୋମାନା ଜହୁର ସୋମବାର ରାତିରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସର୍ଫରାଜ ଖାନ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ତାଙ୍କ ପ୍ରଶଂସକଙ୍କ ସହ ବାପା ହେବାର ଖୁସି ବାଣ୍ଟିଛନ୍ତି। ଯଦିଓ ସରଫରାଜ ଖାନ ନିଜ ଜୀବନରେ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି, ତଥାପି ସେ କେବେ ହାର ମାନିନଥିଲେ।
ସରଫରାଜ ଖାନଙ୍କ ପିତା ନୌଶାଦ ଖାନ୍ ତାଙ୍କୁ ସବୁ ଅସୁବିଧାରେ ସହଯୋଗ କରିଥିଲେ। ନିକଟରେ ପିତା ହେବା ପରେ ସର୍ଫରାଜ ଖାନ୍ ଆଜି ଅର୍ଥାତ୍ ଅକ୍ଟୋବର ୨୨ରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ୨୭ତମ ଜନ୍ମଦିନ ପାଳନର ୨ ଘଣ୍ଟା ପୂର୍ବରୁ ସର୍ଫରାଜ ବାପା ହୋଇଛନ୍ତି।
ସର୍ଫରାଜ ଖାନ ୨୨ ଅକ୍ଟୋବର ୧୯୯୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସରଫରାଜ ଖାନ୍ ପିଲାବେଳୁ କ୍ରିକେଟ୍ ପ୍ରତି ଆଗ୍ରହୀ ଥିଲେ ଏବଂ ସେ ରଣଜୀ ଟ୍ରଫି ଖେଳୁଥିଲେ। ୨୦୧୫ରେ ଆରସିବି ତାଙ୍କୁ ନିଜ ଶିବିରରେ ସାମିଲ କରିଥିଲା। ସର୍ଫରାଜ ଫେବ୍ରୁଆରି ୧୫ରେ ରାଜକୋଟ ପଡ଼ିଆରେ ପଦାର୍ପଣ କରିବା ସହ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ହାସଲ କରିଥିଲେ। ପଦାର୍ପଣ ଟେଷ୍ଟମ୍ୟାଚ୍ ରେ ସେ ପ୍ରଥମ ଇନିଂସରେ ୬୨ ରନ୍ କରିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ସେ ଦ୍ୱିତୀୟ ଇନିଂସରେ ୬୮ ରନ୍ର ଅପରାଜିତ ଇନିଂସ ଖେଳିଥିଲେ।
ସର୍ଫରାଜଙ୍କ କ୍ରିକେଟ୍ କ୍ୟାରିୟରରେ ସେ ଟିମ୍ ଇଣ୍ଡିଆ ପାଇଁ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୫୮ ହାରାହାରିରେ ୩୫୦ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୫୦ ଏବଂ ଏହି ସମୟ ମଧ୍ୟରେ ସେ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ମଧ୍ୟ ହାସଲ କରିଛନ୍ତି।