ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କଶ୍ମୀର ଶାଖା ଆଜି ଉପତ୍ୟକାର ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରି ସ୍ଥାନୀୟ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବା ନେଇ ଜାଣିବାକୁ ଚେଷ୍ଟା କରିଛି। କାଶ୍ମୀରରେ ଲସ୍କର-ଇ-ତୋଏବା ଦ୍ୱାରା ଟିଆରଏଫ ଭଳି ତେହରିକ-ଇ-ଲବ୍ବାଇକ ବା ମୁସଲମାନ ନାମକ ଏକ ଆତଙ୍କବାଦୀ ସଂଗଠନ ଗଠନ ପାଇଁ କରାଯାଉଥିବା ଷଡ଼ଯନ୍ତ୍ରକୁ ଏହି ଚଢ଼ାଉ ବିଫଳ କରିଛି।
ଶ୍ରୀନଗର, ଗଣ୍ଡେରବାଲ, ବାନ୍ଦିପୋର, କୁଲଗାମ, ବଡଗାମ, ଅନନ୍ତନାଗ ଓ ପୁଲୱାମାରେ ଏହି ଚଢ଼ାଉ କରାଯାଇଥିଲା। ଏହାର ହେଣ୍ଡଲର ବାବା ହମାସ ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀ ବୋଲି କୁହାଯାଉଛି। ଚଢ଼ାଉ ବେଳେ ଟିଏଲ୍ଏମ୍ ସହ ଜଡ଼ିତ କିଛି ନୂଆ ଆତଙ୍କବାଦୀ ଏବଂ ଓଭର ଗ୍ରାଉଣ୍ଡ୍ ୱାର୍କର୍ସ ମଧ୍ୟ ଧରାପଡ଼ିଛନ୍ତି।
ସୂଚନାଯୋଗ୍ୟ, ରବିବାର ରାତିରେ ଶ୍ରୀନଗର-ଲେହ ଜାତୀୟ ରାଜପଥର ସୋନମର୍ଗର ଗଗନଗିରଠାରେ ନିର୍ମାଣାଧୀନ ଜେଡ୍ ମୋର୍ହ ଟନେଲ ନିର୍ମାଣରେ ନିୟୋଜିତ ଘରୋଇ କମ୍ପାନିର ଶ୍ରମିକଙ୍କ କ୍ୟାମ୍ପ ଉପରକୁ ୨ରୁ ୩ ଜଣ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ଜଣେ ଡାକ୍ତରଙ୍କ ସମେତ ୭ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଖସିଯିବା ପୂର୍ବରୁ ସେଠାରେ ପାର୍କିଂ ହୋଇଥିବା ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।