ଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ପରିମାଣ ବଢ଼ିବାରେ ଲାଗିଛି । ପ୍ରଦୂଷଣ ପାଇଁ ଦିଲ୍ଲୀବାସୀମାନେ ବହୁ ହନ୍ତସନ୍ତ ମଧ୍ୟ ହେଉଛନ୍ତି । ସେଥିପାଇଁ ସୋମବାର ଦିଲ୍ଲୀ-ଏନସିଆରରେ ଦ୍ବିତୀୟ ପର୍ଯ୍ୟାୟ ଜିଆରଏପି କାର୍ଯ୍ୟକାରୀ କରିବାକୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ନିର୍ଦ୍ଦେଶ ଦେଇଛି । ଏହି କାରଣରୁ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରାଯାଇଛି । ବାୟୁ ଗୁଣବତ୍ତାର ଅବନତିକୁ ରୋକିବା ପାଇଁ ଉପ-କମିଟି ନିଷ୍ପତ୍ତି ନେଇଛନ୍ତି । ଡିଜେଲ ଜେନେରେଟରର ବ୍ୟବହାରକୁ ହ୍ରାସ କରିବା ପାଇଁ ଏକ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ବ୍ୟବହାର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଗାଡି ଚଳାଚଳ ହ୍ରାସ କରିବା ପାଇଁ ଅତିରିକ୍ତ ବସ୍ ଏବଂ ମେଟ୍ରୋ ସେବା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।