ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୁଣି ଥରେ ଯୋଗୀ ସରକାରଙ୍କ ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇଛନ୍ତି । ମଙ୍ଗଳବାର ବହରାଇଚ ହିଂସାରେ ସଂପୃକ୍ତ ତିନି ଅଭିଯୁକ୍ତଙ୍କ ସଂପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉତ୍ତର ପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆସନ୍ତାକାଲି ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି । ମାମଲାର ଶୁଣାଣି ବୁଧବାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ବିଆର ଗବଇ କହିଛନ୍ତି, ଆପଣ ଅଦାଲତ ଦ୍ୱାରା ପାରିତ ଆଦେଶ ବିଷୟରେ ଅବଗତ ଅଛନ୍ତି । ଯଦି ଉତ୍ତର ପ୍ରଦେଶ ସରକାର ଏହି ଆଦେଶର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଇଚ୍ଛା ।
ସୁପ୍ରିମକୋର୍ଟ ସାର୍ବଜନୀନ ସ୍ଥାନ, ରାସ୍ତା, ରେଳ ଲାଇନ କିମ୍ବା ଜଳ ନିଷ୍କାସନ ଉପରେ ଅତିକ୍ରମଣ ସଂପର୍କିତ ମାମଲାକୁ ବାଦ୍ ଦେଲେ ଅନ୍ୟ ଉପରେ କୋର୍ଟଙ୍କ ବିନା ଅନୁମତିରେ ବୁଲୋଡଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି । ଆଉ ଗତ ଅକ୍ଟୋବର ୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ବୁଲଡୋଜର ଆକ୍ସନକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ଉପରେ ନିଜର ରାୟ ସୁରକ୍ଷିତ ରଖିଥିଲେ ।
ଆବେଦନକାରୀ ଦାବି କରିଥିଲେ ଯେ, ତାଙ୍କ ସଂପତ୍ତି ୬୦-୭୦ ବର୍ଷ ପୁରୁଣା । କିନ୍ତୁ ତାଙ୍କ ସଂପତ୍ତି ଉପରେ ବୁଲଡୋଜର ଆକ୍ସନ ହେଉଛି, ଯାହା ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ । ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଆଡଭୋକେଟ୍ ସିୟୁ ସିଂ କହିଛନ୍ତି, ଆବେଦକ ଓ ଭାଇଙ୍କ ମଧ୍ୟରୁ ଜଣେ ଆତ୍ମ ସମର୍ପଣ କରି ସାରିଥିଲେ । ତଥାପି ତାଙ୍କ ଘର ଉପରେ ବୁଲଡୋଜର ଆକ୍ସନ ହେଉଛି । ଡିଡବ୍ଲ୍ୟୁଡି ତିନି ଦିନ ଭିତରେ ଧ୍ୱଂସ ପାଇଁ ନୋଟିସ୍ ଜାରି କରିଛି ।
ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ମଧ୍ୟ ମାମଲାର ଶୁଣାଣି କରିଥିଲେ । ତେବେ ହାଇକୋର୍ଟ ବୁଲଡୋଜର ଆକ୍ସନ ଉପରେ କୌଣସି ପ୍ରକାରର ରୋକ୍ ଲଗାଇନ ଥିଲେ । ତେବେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆକ୍ସନ ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ । ଯାହା ଉପରେ ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟ ଯୋଗୀ ସରକାରଙ୍କ ବୁଲଡୋଜର ଆକ୍ସନ ଉପରେ ବୁଧବାର ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି ।