ଶ୍ରୀନଗର: ଗାନ୍ଦରବାଲ ଜିଲ୍ଲାର ଗଗନଗିରରେ ଆଖିବୁଜା ଗୁଳି ଚାଳନା କରି ଫେରାର ହୋଇଯାଇଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀ ଆଖପାଖ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୁରକ୍ଷା ବାହିନୀର ପାଟ୍ରୋଲିଂ, ସ୍ବତନ୍ତ୍ର ଚେକପୋଷ୍ଟ ସହ ସନ୍ଧାନୀ କୁକୁର ଓ ଡ୍ରୋନ୍ ମଧ୍ୟ ଏହି ଅପରେସନରେ ବ୍ୟବହାର କରାଯାଉଛି।
ଅନ୍ୟପକ୍ଷରେ ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଆତଙ୍କବାଦୀମାନେ ମାସ୍କ ପିନ୍ଧିଥିଲେ ବୋଲି ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ସମ୍ଭାବ୍ୟ ବିଦେଶୀ ଆତଙ୍କବାଦୀ ଥିବା ଦୁଇ ଜଣ ବ୍ୟକ୍ତି ମୁହଁ ଲୁଚାଇ ଜେଡ୍ ମୋର ଟନେଲ ନିର୍ମାଣ କରୁଥିବା ଆପ୍କୋ କମ୍ପାନିର ମେସ୍ ରେ ପ୍ରବେଶ କରିଥିଲେ। ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ୭ ଜଣ ପ୍ରାଣ ହରାଇଥିଲେ। ଆହତ ୫ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଗତକାଲି ରାତିରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏବେ ସମସ୍ତେ ସୁସ୍ଥ ଅଛନ୍ତି।
ସେ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ କଶ୍ମୀର ରେଞ୍ଜଡିଆଇଜିଙ୍କୁ ଦିଆଯାଇଛି। ଅନ୍ୟପକ୍ଷରେ ଏନଆଇଏ ବ୍ୟତୀତ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ସୋମବାର ଘଟଣାସ୍ଥଳପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପଚରାଉଚରା ପାଇଁ ୪ରୁ ୬ ଜଣ ସନ୍ଦିଗ୍ଧ ଙ୍କୁ ଅଟକ ରଖାଯାଇଥିବା କୁହାଯାଉଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଚିହ୍ନଟ କରାଯିବ। ସେପଟେ ଆତଙ୍କବାଦୀ ଆକ୍ରମଣର ଟାର୍ଗେଟରେ ଥିବା ନିର୍ମାଣ କମ୍ପାନୀର କ୍ୟାମ୍ପକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି। ଏଠାରେ ରହୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସୋନମର୍ଗ ଓ ଗୁଣ୍ଡ ଅଞ୍ଚଳରେ ଆବାସିକ ସୁବିଧା ଯୋଗାଇ ଦିଆଯାଇଛି।
ରବିବାର ରାତିରେ ଶ୍ରୀନଗର-ଲେହ ଜାତୀୟ ରାଜପଥର ସୋନମର୍ଗର ଗଗନଗିରଠାରେ ନିର୍ମାଣାଧୀନ ଜେଡ୍ ମୋର୍ହ ଟନେଲ ନିର୍ମାଣରେ ନିୟୋଜିତ ଘରୋଇ କମ୍ପାନିର ଶ୍ରମିକଙ୍କ କ୍ୟାମ୍ପ ଉପରକୁ ୨ରୁ ୩ ଜଣ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ଜଣେ ଡାକ୍ତରଙ୍କ ସମେତ ୭ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଖସିଯିବା ପୂର୍ବରୁ ସେଠାରେ ପାର୍କିଂ ହୋଇଥିବା ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଦୁନିଆରେ କ୍ଷମତାର ସନ୍ତୁଳନ ବଦଳୁଛି