ଚଣ୍ଡୀଗଡ଼: ପଞ୍ଜାବର ୪ଟି ଆସନରେ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଡେରା ସିରସା ମୁଖ୍ୟ ଗୁରମିତ ସିଂହଙ୍କ ବିରୋଧରେ ୩ଟି ମାମଲାରେ ମାମଲା ରୁଜୁ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଧାରା ୨୯୫ଏ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ ଥିଲା। ରୋହତକର ସୁନାରିଆ ଜେଲରେ ବନ୍ଦୀ ଥିବା ଡେରା ମୁଖ୍ୟଙ୍କୁ ପଞ୍ଜାବ ଆଣିବା ପାଇଁ ବାଟ ସଫା ହୋଇଛି।
୨୦୧୫ ମସିହା ଅକ୍ଟୋବର ମାସରେ ବେହବଲ କଲାନରେ ଶ୍ରୀ ଗୁରୁ ଗ୍ରନ୍ଥ ସାହିବର ଅଙ୍ଗ ଫାଟିଯିବା ପରେ ବରଜ ଜବାହର ସିଂ ୱାଲାଠାରେ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପବିତ୍ର ବିଡ ଚୋରି, କିଛି ଦିନ ପରେ ଏହାକୁ ରାସ୍ତାରେ ଫିଙ୍ଗି ଦେବା ଏବଂ ବରଗାରୀରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇବା ଘଟଣାରେ ଗୁରମିତଙ୍କ ବିରୋଧରେ ମାମଲା ରୁଜୁ ହେବ।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ରାଜ୍ୟର ଗୃହମନ୍ତ୍ରୀ। ସିରସା ଡେରା ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେବାର ତିନି ଦିନ ପରେ ମାନ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ଅଢ଼େଇ ବର୍ଷ ତଳେ ସିରସା ଡେରା ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସ ଅନୁମତି ମାଗିଥିଲେ ହେଁ ହାଇକୋର୍ଟ ଏହି ତିନୋଟି ମାମଲା ଉପରେ ରୋକ୍ ଲଗାଇଥିଲେ।
ଆପ୍ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିଲେ। ଏହାକୁ ନେଇ ସେ ବହୁତ ଲଜ୍ଜିତ ହେଉଥିଲେ। ଆପ୍ ବିଧାୟକ କୁଅଁର ବିଜୟ ପ୍ରତାପ ସିଂହ ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ଆପ୍ ସରକାର ଏସବୁ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଲୋକସଭା ନିର୍ବାଚନରେ ଆପ୍ ସରକାରଙ୍କୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ଆପ୍କୁ ମାତ୍ର ୩ଟି ଆସନ ମିଳିଥିଲା।
ଦୁଇ ସାଧ୍ୱୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରାମ ରହିମ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି। ଏହାବ୍ୟତୀତ ସିରସାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୭ ଅଗଷ୍ଟ ୨୫ତାରିଖରେ ରାମ ରହିମଙ୍କୁ ଯୌନ ନିର୍ଯାତନା ମାମଲାରେ ଦଣ୍ଡାଦେଶ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ପରେ ହରିୟାଣାର ପଞ୍ଚକୁଲାରେ ଭୟଙ୍କର ହିଂସା କାଣ୍ଡ ଘଟିଥିଲା। ଏଥିରେ ପାଖାପାଖି ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଦଣ୍ଡାଦେଶ ପାଇବା ପରେ ରାମ ରହିମ ଅନେକ ଥର ପାରୋଲରେ ବାହାରିଛନ୍ତି । ନିକଟରେ ତାଙ୍କୁ ୨୦ ଦିନିଆ ପାରୋଲ ମିଳିଥିଲା।