ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜରିୱାଲଙ୍କ ଯାଚିକାକୁ ଉଚ୍ଚତମ ନ୍ୟାୟାଳୟ ଖାରଜ କରିଛନ୍ତି । ଗୁଜରାଟ ୟୁନିଭର୍ସିଟି ପକ୍ଷରୁ ଦାୟର ମାନହାନୀ କେସରେ କେଜରିୱାଲଙ୍କ ବିରୋଧରେ ଟ୍ରାଏଲ କୋର୍ଟ ସମନ ଜାରି କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଟ୍ରାଏଲକୁ ରଦ୍ଦ କରିବା ପାଇଁ ପ୍ରଥମେ ହାଇକୋର୍ଟ ଏବଂ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସବୁଠି କେଜରିୱାଲଙ୍କୁ ନିରାଶ ହେବାକୁ ପଡିଛି ।
ଜଷ୍ଟିସ ଋଷିକେଶ ରୟ ଓ ଜଷ୍ଟିସ ଏସଭିଏନ ଭାଟିଙ୍କ ପୀଠ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ପୀଠ କହିଛନ୍ତି, ଏହି ପରି ଯାଚିକା ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ପକ୍ଷରୁ ମଧ୍ୟ ଦାୟର କରାଯାଇଥିଲା । ଆଉ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଥିଲେ । ଏହା ଉପରେ କେଜରିୱାଲଙ୍କ ପକ୍ଷରୁ ହାଜର ଓକିଲ ଅଭିଷେକ ମନୁସିଙ୍ଘଭି କହିଛନ୍ତି, ସଞ୍ଜୟ ସିଂଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ଭିନ୍ନ ଥିଲା ଆଉ କେଜରିୱାଲଙ୍କ ମାମଲା ଭିନ୍ନ । ତଥାପି ଖଣ୍ଡପୀଠ ମାନି ଥିଲେ ଏବଂ ଯାଚିକା ଖାରଜ କରିଛନ୍ତି ।
ଏହା ପୂର୍ବରୁ ଗୁଜରାଟ ହାଇକୋର୍ଟ ଟ୍ରାଏଲ କୋର୍ଟ ଦ୍ୱାରା କେଜରିୱାଲଙ୍କୁ ଜାରି ସମନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ । ହାଇକୋର୍ଟଙ୍କଠୁ ନିରାଶ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସୁପ୍ରିମକୋର୍ଟରେ ମଧ୍ୟ କେଜରିୱାଲଙ୍କୁ ନିରାଶ ହେବାକୁ ପଡିଛି ।