ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଛି ମନ୍ତ୍ରୀଙ୍କ ଘରେ ଚଢ଼ାଉ । ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ, ଟିଏମସି ବିଧାୟକ ତାପସ ରୟ ଏବଂ ଉତ୍ତର ଦମ୍ ଦମ୍ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ସୁବୋଧ ଚକ୍ରବର୍ତ୍ତୀଙ୍କ ବାସଭବନରେ ଚଢ଼ାଉ କରିଛି । 2014 ରୁ 2016 ମଧ୍ୟରେ ମ୍ୟୁନିସିପାଲିଟି ନିଯୁକ୍ତିରେ ଅନିୟମିତତା ଅଭିଯୋଗ ରେ ଏହି ଚଢ଼ାଉ କରାଯାଇଛି ।
ସୂଚନା ଅନୁସାରେ, ଆଜି ସକାଳେ ଏକ ଇଡି ଟିମ୍ ଶ୍ରୀ ଭୂମି ଅଞ୍ଚଳରେ ସୁଜିତ ବୋଷଙ୍କ ଦୁଇଟି ବାସଭବନ ଉପରେ ଅନ୍ୟ ଏକ ଟିମ୍ ବୋଇବାଜରରେ ଥିବା ତାପସ ରୟଙ୍କ ଆପାର୍ଟମେଣ୍ଟ ଏବଂ ଅଫିସରେ ଏବଂ ଅନ୍ୟ ଏକ ଟିମ୍ ବିରାଟୀରେ ସୁବୋଧ ଚକ୍ରବର୍ତ୍ତୀଙ୍କ ବାସଭବନ ଉପରେ ବହୁ ସଂଖ୍ୟକ କେନ୍ଦ୍ରୀୟ ବଳ ଯବାନମାନଙ୍କ ସହିତ ଚଢ଼ାଉ କରିଥିଲା । 2014 ରୁ 2016 ମଧ୍ୟରେ ପଶ୍ଚିମବଙ୍ଗର ବିଭିନ୍ନ ପୌରସଂସ୍ଥାରେ ଟଙ୍କା ବଦଳରେ ଶହ ଶହ ଚାକିରି ଦିଆଯାଇଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା । କିଛି ଦିନ ତଳେ ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହଜାହାଁ ସେଖଙ୍କ ବାସଭବନରେ ଚଢାଉ ପାଇଁ ଯାଇଥିବା ଇଡି ଅଧିକାରୀ ଉପରେ ନେତାଙ୍କ ସମର୍ଥକ ତଥା ଗ୍ରାମବାସୀ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ତେଣୁ ଆଜି ଚଢାଉ ବେଳେ ସିଏପିଏଫ କର୍ମଚାରୀଙ୍କ ସୁରକ୍ଷାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।
ଆଗକୁ ପଢନ୍ତୁ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଟ୍ରାଫିକ ଇନ୍ସପେକ୍ଟର