ନୂଆଦିଲ୍ଲୀ: ସମଗ୍ର ଦୁନିଆର ବ୍ୟକ୍ତି ବିଶେଷ ଏବଂ ସମସ୍ତ ଘଟଣା ବିଷୟରେ ବିସ୍ତୃତ ସୂଚନା ଦେଉଥିବା ୱେବସାଇଟ୍ ୱିକିପିଡିଆକୁ ଦିଲ୍ଲୀ ହାଇକୋର୍ଟ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି । ନ୍ୟୁଜ ଏଜେନ୍ସି ଏନଆଇ ବିଷୟରେ ନିଜ ପୃଷ୍ଠାରେ ସଂଶୋଧନ କରାଯିବା ମାମଲାରେ କୋର୍ଟ ୱିକିପିଡିଆକୁ ଉପଦେଶ ଦେଇଛନ୍ତି । ପୀଠ କହିଛନ୍ତି, ଯଦି ଆପଣ ଭାରତକୁ ପସନ୍ଦ କରୁ ନାହାନ୍ତି ତେବେ ଏଠାରେ କାମ କରନ୍ତୁ ନାହିଁ । ଆମେ ସରକାରଙ୍କୁ କହି ଦେବୁ ଯେ, ୱିକିପିଡିଆକୁ ଭାରତରେ ବ୍ଲକ କରାଯାଉ । ଏଥିସହିତ ଅଦାଲତ ୱିକିପିଡିଆକୁ ଅବମାନନା ନୋଟିସ୍ ଜାରି କରିଛି । ଅଦାଲତ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି, କାହିଁକି ଖଣ୍ଡପୀଠଙ୍କ ଆଦେଶ ପାଳନ କରାଗଲା ନାହିଁ । ୱିକିପିଡିଆ ସେହି ଲୋକଙ୍କ ବିଷୟରେ ସୂଚନା ଦେଉ ଯିଏ ଏଏନଆଇ ପେଜରେ ପରିବର୍ତ୍ତନ କରିଛି ।
ନ୍ୟୁଜ ଏଜେନ୍ସି ଏଏନଆଇ ୱିକିପିଡିଆ ବିରୋଧରେ ମାନହାନୀ କେସ ଦାୟର କରିଥିଲା । ଏଜେନ୍ସିର କହିବା କଥା ସଂସ୍ଥା ବିଷୟରେ ଦିଆଯାଇଥିବା ବିଷୟର ସଂଶୋଧନ କରାଯାଇଛି, ଯାହା ଆମର ସମ୍ମାନକୁ କ୍ଷୁର୍ଣ୍ଣ କରିଛି । ୱିକିପିଡିଆ ପୃଷ୍ଠାରେ ଏଏନଆଇ ବିଷୟରେ କେହି ସଂଶୋଧନ କରି ଲେଖି ଦେଇଥିଲା ଯେ, ନ୍ୟୁଜ ସରବରାହ ସଂସ୍ଥା ଏଏନଆଇ ବର୍ତ୍ତମାନ ସରକାରଙ୍କ ଏକ ପ୍ରୋପାଗାଣ୍ଡା ଟୁଲ । ଏହା ଉପରେ ଶୁଣାଣି କରି ଅଦାଲତ ୱିକିପିଡିଆକୁ ଆଦେଶ ଦେଇଛନ୍ତି ଯେ, ସେହି ତିନି ଜଣଙ୍କ ବିଷୟରେ ସୂଚନା ଦିଆଯାଉ ଯେଉଁମାନେ ଏଏନଆଇ ପେଜକୁ ପରିବର୍ତ୍ତନ କରିଛନ୍ତି । ତେବେ ୱିକିପିଡିଆ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ଏଜେନ୍ସି ପକ୍ଷରୁ କୋର୍ଟରେ ମାନହାନୀ ମୋକଦ୍ଦମା ଦାୟର କରାଯାଇଥିଲା ।
ୱିକିପିଡିଆର ଓକିଲ କହିଛନ୍ତି, ଆମେ କିଛି ସୂଚନା ଆପଣଙ୍କୁ ଜଣାଇଥିଲୁ । ଅଦାଲତରେ ହାଜର ହେବାକୁ କିଛି ସମୟ ଦିଅନ୍ତୁ କାରଣ ୱିକିପିଡିଆର କାମ ଭାରତରୁ ସଞ୍ଚାଳିତ ହୁଏ ନାହିଁ । ଏହା ଉପରେ ଜଷ୍ଟିସ ନବୀନ ଚାୱଲା କଠୋର ଆପତ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ୱିକିପିଡିଆର ଏହି ଯୁକ୍ତ ଖାରଜ କରାଯାଉଛି । ୱିକିପିଡିଆକୁ କୋର୍ଟ ସତର୍କ କରାଇ ଦେଇଛନ୍ତି ଯେ, ଆପଣଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ହୋଇପାରେ ।