ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୨୮ ମାର୍ଚ୍ଚ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆଉ ୨୬ ଏପ୍ରିଲ ୨୦୨୪ରେ ହେବ ମତଦାନ ।
ଦ୍ୱିତୀୟ ପର୍ଯ୍ୟାୟରେ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ସହିତ ୮୮ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ କରାଯିବ । ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହେଉଛି ୪ ଏପ୍ରିଲ ୨୦୨୪। ଜାମ୍ମୁ କାଶ୍ମୀରକୁ ଛାଡ଼ି ଅନ୍ୟ ୧୧ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ୫ ଏପ୍ରିଲରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଆଉ ଜାମ୍ମୁକାଶ୍ମୀରରେ ୬ ଏପ୍ରିଲରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ବାହ୍ୟ ମଣିପୁର ସଂସଦୀୟ କ୍ଷେତ୍ରର ବିଜ୍ଞପ୍ତିକୁ ପ୍ରଥମ ପର୍ଯ୍ୟାୟ ପାଇଁ ଜାରି ଗେଜେଟ୍ ବିଜ୍ଞପ୍ତିରେ ସାମିଲ କରାଯାଇଥିଲା। ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ କ୍ଷେତ୍ରର ୧୫ଟି ବିଧାନସଭା କ୍ଷେତ୍ରରେ ୧୯ ଏପ୍ରିଲରେ ମତଦାନ ହେବ ଏବଂ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୩ଟି ବିଧାନସଭା କ୍ଷେତ୍ରରେ ୨୬ ଏପ୍ରିଲରେ ମତଦାନ ହେବ।
ଦ୍ୱିତୀୟ ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ଼, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଏବଂ ମଣିପୁରର ଗୋଟିଏ ସଂସଦୀୟ କ୍ଷେତ୍ର ସାମିଲ ହେଉଛି ।
ଅଧିକ ପଢ଼ନ୍ତୁ : ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ