ଆଜିଠୁ ଇତିହାସ ପାଲଟିବ ପୁରୁଣା ସଂସଦ ଭବନ । ଦେଶକୁ ମିଳିଛି ନୂଆ ସଂସଦ । ନୂଆ ପାର୍ଲାମେଣ୍ଟରେ ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ଆଜି ପବିତ୍ର ଗଣେଶ ପୂଜାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ବିଲଡିଂରେ ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍କୁ ଆଜି ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ସରକାର । ଏହି ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍କୁ ଆଗତ କରିଛନ୍ତି। ମହିଳାମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଏହି ବିଲ୍ରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ବିଲ୍ ଆଗତ ପରେ ପ୍ରଧାନମନ୍ତ୍ରୀ ଆଜିର ଦିନକୁ ଐତିହାସିକ ଦିନ ବୋଲି କହିଛନ୍ତି ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ ଉପସ୍ଥାପନ କରିବା ବେଳେ ବିରୋଧୀ ହଟ୍ଟଗୋଳ କରିଥିଲେ। ଶ୍ରେୟ ନେବାକୁ ସରକାର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କେନ୍ଦ୍ର ସରକାର ଆଣିଥିବା ବିଲ୍ ବିରୋଧୀଙ୍କ ପାଖରେ ପହଞ୍ଚି ପାରି ନଥିବାରୁ ସେମାନେ ଆପତ୍ତି ଉଠାଇଥିଲେ। କିନ୍ତୁ ଏହା ଇଣ୍ଟରନେଟରେ ଅପଲୋଡ ହୋଇ ସାରିଥିବା ସରକାର କହିଥିଲେ । ଆଜି ଲୋକସଭାରେ ବିଲ୍ ଆଗତ ହୋଇଥିବା ବେଳେ ଏହା ଉପରେ ବିତର୍କ ଆସନ୍ତାକାଲି ହେବାରୁ ବିଲ୍ ଆଗତ ହେବା ପରେ ଲୋକସଭାକୁ ଆସନ୍ତାକାଲି ଯାଏ ମୁଲତବୀ ରଖାଯାଇଛି।
ସେହିପରି ବିଲ୍କୁ ସର୍ବସମ୍ମତିକ୍ରମେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ ବଳରେ ଅଧିକରୁ ଅଧିକ ମହିଳା ଲୋକସଭା ଓ ବିଧାନସଭାର ସଦସ୍ୟ ହୋଇପାରିବେ। ଦେଶର ବିକାଶରେ ଅଧିକରୁ ଅଧିକ ମହିଳା ସାମିଲ ହୁଅନ୍ତୁ ବୋଲି ଆମେ ଚାହୁଁଛୁ। ମହିଳା ନେତୃତ୍ୱାଧୀନ ଦେଶର ବିକାଶକୁ ପୂରା ବିଶ୍ୱ ସ୍ୱୀକୃତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ :- ନୂଆ ସଂସଦ ଭବନରେ ଆଗତ ହେବ ୩୩% ମହିଳା ସଂରକ୍ଷଣ ବିଲ୍