ମହିଳା ସଂରକ୍ଷଣ ବିଲକୁ ନେଇ ଆସିଲା ବଡ଼ ଖବର । ନୂଆ ସଂସଦ ଭବନରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଏହାକୁ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେମଞ୍ଜୁରୀ ମିଳିଛି । ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ କରାଯାଇନଥିଲେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଛି । ମହିଳା ସଂରକ୍ଷଣ ବିଲରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ବ୍ୟବସ୍ଥା ରହିଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାକୁ ମଞ୍ଜୁରୀ ମିଳିବା ପରେ ଖୁବଶୀଘ୍ର ସଂସଦରେ ଏହି ବିଲ୍ ଆଗତ ହୋଇପାରେ ।
ପ୍ରାୟ ୨୭ ବର୍ଷ ହେଲା ପଡ଼ି ରହିଥିବା ମହିଳା ସଂରକ୍ଷଣ ବିଲ୍ ଏବେ ଲାଇନକୁ ଆସିଛି । ସଂସଦର ସ୍ଵତନ୍ତ୍ର ଅଧୂବେଶନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ମହିଳା ସଂରକ୍ଷଣ ବିଲ୍ ଆଣିବା ଉପରେ ଜୋର୍ ଦେଇଥିଲେ । ସେମାନେ କହିଥିଲେ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏକ ଐତିହାସିକ ନିଷ୍ପତ୍ତି ମଧ୍ୟ ନିଆଯିବାର ଆବଶ୍ୟକତା ରହିଛି । ସଂସଦରେ ଆଗତ ହେବା ପରେ ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ହେବ ଏବଂ ପରେ ଗୃହୀତ କରାଯିବ ।
ବିଲ୍ ଗୃହୀତ ହୋଇ ଆଇନରେ ପରିଣତ ହେଲେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ । ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ଯାହାଫଳରେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି ପାଇବ। ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁସାରେ ସେହି ୩୩ ପ୍ରତିଶତ ଭିତରେ ଅନୁସୂଚିତ ଜାତି, ଜନଜାତି ଓ ଆଟ୍ରୋ-ଇଣ୍ଡିଆନଙ୍କ ପାଇଁ ସବ୍ କୋଟା ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପରେ ସଂରକ୍ଷଣ ଆସନର ସ୍ଥିତି ବଦଳିବ। ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବାର ୧୫ ବର୍ଷ ପରେ ତାହା ସମାପ୍ତ ହେବ। ଅର୍ଥାତ ୧୫ ବର୍ଷ ପରେ ଆଉ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗୁ ହେବ ନାହିଁ ।
ପରିସଂଖ୍ୟାନ ଅନୁସାରେ ବର୍ତ୍ତମାନ ଲୋକସଭାର ମୋଟ ୫୪୩ ଆସନରୁ ମହିଳା ସଦସ୍ୟଙ୍କ ସଂଖ୍ୟା ରହିଛି ୭୮। ଯାହାକି ୧୫ ପ୍ରତିଶତରୁ କମ୍ । ସେହିଭଳି ରାଜ୍ୟସଭାରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ଵ ପ୍ରାୟ ୧୪ ପ୍ରତିଶତ ଥିବା ଜଣାପଡ଼ିଛି । ରାଜ୍ୟ ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦ ପ୍ରତିଶତ ରହିଛି। ଏପରିକି ଦକ୍ଷିଣ ଆଫ୍ରିକା ୪୬%, ବ୍ରିଟେନ ୩୫, ଆମେରିକା ୨୯%, ଚୀନ ୨୫%, ବାଂଲାଦେଶ ୨୧%, ପାକିସ୍ତାନ ୨୦% ଓ ବ୍ରାଜିଲ ୧୮% ଠାରୁ ଭାରତରେ ମହିଳା ସାଂସଦଙ୍କ ସଂଖ୍ୟା କମ୍ ରହିଛି। ଏହି ପ୍ରସଙ୍ଗରେ ଗତ ୧୩ ବର୍ଷ ତଳେ ଶେଷଥର ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ।