ମିର୍ଜାପୁର: ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ବୁଧବାର ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣା ଏତେ ଭୟାନକ ଯେ, ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଡ୍ରମଣ୍ଡଗ ଥାନା ଅନ୍ତର୍ଗତ ବଡକା ବାଙ୍କରେ ଏକ ଦ୍ରୁତଗାମୀ ଟ୍ରକ ଦୁଇଟି କାରକୁ ଜୋରଦାର ଧକ୍କା ମାରିଛି । ଧକ୍କା ଏତେ ଭୀଷଣ ଥିଲା ଯେ, ଦୁଇ କାରରେ ନିଆଁ ଲାଗି ଯାଇଥିଲା । ଏଥିରେ ବସିଥିବା ୯ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଦୁର୍ଘଟଣାରେ ମୋଟ୍ ୧୧ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଟ୍ରକ ଚାଳକ ଓ ହେଲପର ମଧ୍ୟ ସାମିଲ୍ ।
ପ୍ରତ୍ୟେକ୍ଷଦର୍ଶୀଙ୍କ ମୁତାବକ ଦୁର୍ଘଟଣା ସମୟରେ କାରରେ ବସିଥିବା ଲୋକ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ମାତ୍ର ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, କେହି ମଧ୍ୟ ବଞ୍ଚାଇ ପାରିଲେ ନାହିଁ । ସୂଚନା ମିଳିବା ମାତ୍ରେ ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହା ପରେ ଜଳି ଯାଇଥିବା ଶବଗୁଡିକୁ କାରରୁ କଢା ଯାଇ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।
ଦୁଇ କାରକୁ ଟକ୍କର ମାରିଲା ଟ୍ରକ
ପ୍ରାରମ୍ଭିକ ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଅଭିମୁଖେ ଆସୁଥିବା ଏକ ଟ୍ରେଲର ଏବଂ ପଛରେ ଆସୁଥିବା ଟ୍ରକ ମଝିରେ ଏକ ବୋଲେରୋ ଓ ସ୍ୱିଫ୍ଟ ଡିଜାୟର ଚାଲୁଥିଲା । ହେଲେ ବଡକା ଘୁମାନ ବାଙ୍କରେ ପଛରୁ ଆସୁଥିବା ଚଣାରେ ଲଦା ଟ୍ରକ ଦୁଇ କାରକୁ ଜୋରରେ ଧକ୍କା ମାରିଥିଲା । ଫଳରେ ଆଗରେ ଯାଉଥିବା ଟ୍ରେଲରେ ଯାଇ ପିଟି ହୋଇଥିଲା କାର ଏବଂ ତୁରନ୍ତ ନିଆଁ ଲାଗି ଯାଇଥିଲା ।
ଦୁର୍ଘଟଣାରେ ଦୁଇ କାରରେ ଥିବା ମୋଟ୍ ୯ ଜଣ ଜୀବନ୍ତ ଜଳି ଯାଇଛନ୍ତି । ବୋଲେରୋରେ ୮ ଜଣ ଥିଲେ । ଏଥିରେ ଦୁଇ ଜଣ ମହିଳା ଓ ଦୁଇ ପିଲା ସାମିଲ୍ । ସ୍ୱିଫ୍ଟ ଡିଜାୟର କାରରେ କେବଳ ଚାଳକ ହିଁ ଥିଲେ । ସେ ବି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଅନ୍ୟପଟେ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୋଟ୍ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଜଳି କି ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଲୋକ ଏବଂ ଟ୍ରକ ଚାଳକ ଓ ହେଲପରଙ୍କ ପରିଚୟ ମିଳି ପାରିନାହିଁ ।
ଦୁର୍ଘଟଣା ପରେ ବାରାଣସୀ-ରିଭା ଜାତୀୟ ମାର୍ଗରେ ଲମ୍ବା ଜାମ ଦେଖିବାକୁ ମିଳିଛି । ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ପୋଲିସ ସହ ସ୍ଥାନୀୟ ଲୋକେ ଜୁଟିଥିଲେ । ପୋଲିସ ଦୁର୍ଘଟଣାର ତଦନ୍ତରେ ଜୁଟି ଯାଇଛି । ଦୁର୍ଘଟଣାର କାରଣକୁ ନେଇ ସନ୍ଧାନ କରାଯାଉଛି ।