ଲୋଲକାତା: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଏବେ ସମର୍ଥନ କରିଛି ମମତା ବାନାର୍ଜୀଙ୍କ ଟିଏମସି । ଅନାସ୍ଥା ପ୍ରସ୍ତାବ ଉପରେ ବିରୋଧୀଙ୍କ ସହ ଯିବାକୁ ଟିଏମସି ପ୍ରସ୍ତୁତ ଥିବା ଜଣା ଯାଇଛି । ଏହା ପୂର୍ବରୁ ଅନାସ୍ଥା ପ୍ରସ୍ତାବରେ ବିରୋଧୀଙ୍କ ସମର୍ଥନ ଦେବ ନାହିଁ ବୋଲି ଟିଏମସି କହିଥିଲା । ହେଲେ ଏଥିରେ ମନ ବଦଳାଇଛି ଟିଏମସି ।
ଲୋକସଭା ସଚିବାଳୟ ବାଚସ୍ପତି ଓମ ବିର୍ଲାଙ୍କୁ ପଦର ହଟାଇବା ପାଇଁ ବିରୋଧୀଙ୍କ ଦ୍ୱାରା ପ୍ରସ୍ତାବ ଉପସ୍ଥାପନ ପାଇଁ ନୋଟିସକୁ ସୋମବାର ସୂଚୀବଦ୍ଧ କରିଛନ୍ତି । ଏଥିପାଇଁ ବିରୋଧୀଙ୍କ ୫୦ ସାଂସଦ ଗୃହରେ ଛିଡା ହେବା ଦରକାର ତେବେ ଯାଇ ନୋଟିସକୁ ସ୍ୱୀକୃତି ମିଳିବ । ଏହା ପରେ ପ୍ରସ୍ତାବ ଉପରେ ଆଲୋଚନା ଓ ମତଦାନ ହେବ । ଯଦି ୫୦ ସାଂସଦ ଅନାସ୍ଥା ନୋଟିସ ସମର୍ଥନରେ ଛିଡା ନ ହୁଅନ୍ତି ତେବେ ପ୍ରସ୍ତାବକୁ ଉପସ୍ଥାପନ କରାଯାଇ ପାରିବ ନାହିଁ ।
ବାଚସ୍ପତିଙ୍କୁ ହଟାଇବା ପାଇଁ କଣ ରହିଛି ପ୍ରକ୍ରିୟା
ଲୋକସଭାର ବାଚସ୍ପତିଙ୍କୁ ହଟାଇବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୯୪ ଏବଂ ଲୋକସଭାରେ କାର୍ୟ୍ୟପ୍ରଣାଳୀର ନିୟମ ଅନୁଚ୍ଛେଦ ୨୦୦ର ପାଳନ କରାଯାଏ । ଏହି ପ୍ରସ୍ତାବକୁ ପାରିତ କରାଇବା ପାଇଁ ସ୍ପଷ୍ଟ ଶବ୍ଦରେ ବାଚସ୍ପତିଙ୍କ ଉପରେ ଲଗାଯାଇଥିବା ଅଭିଯୋଗର ଉଲ୍ଲେଖ କରାଯାଇ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଏ ।
ଲୋକସଭା ସଚିବାଳୟ ପ୍ରସ୍ତାବକୁ ଗୃହରେ କେବେ ଆଗତ କରାଯିବା ତାର ଦିନ ସ୍ଥିର କରିଥାନ୍ତି । ନୋଟିସ ମିଳିବାର ୧୪ ଦିନ ଭିତରେ ତାରିଖ ସ୍ଥିର କରାଯାଏ । ପ୍ରସ୍ତାବକୁ ଅତି କମରେ ୫୦ ସାଂସଦଙ୍କ ସମର୍ଥନ ମିଳିବା ଉଚିତ୍ । ଲୋକସଭାରେ ବହୁମତ ସହିତ ପ୍ରସ୍ତାବ ଗୃହୀତ ହେଲେ ହିଁ ବାଚସ୍ପତିଙ୍କୁ ହଟାଯାଇପାରେ ।