ନିର୍ବାଚନ ବଣ୍ଡ ଉପରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନ ଥିବାରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପାଇଁ ଜାରି ହୋଇଛି ଏହି ନୋଟିସ। ନିର୍ବାଚନ କମିଶନ ପାଖରେ SBI ଦାଖଲ କରିଥିବା ତଥ୍ୟ ବାବଦରେ ପୁନର୍ବାର ଶୁଣାଣି କରି ନିର୍ବାଚନୀ ବଣ୍ଡର ନମ୍ବର ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଥିଲେ।
ସୂଚନାଯୋଗ୍ୟ ଯେ, ନିକଟରେ SBI ନିର୍ବାଚନ ଆୟୋଗଙ୍କୁ ଇଲେକ୍ସନ ବଣ୍ଡ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ଅଭିଯୋଗ ହେବା ପରେ ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ SBIକୁ ଏପରି ନିର୍ଦ୍ଦେଶ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିସହ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟରେ ଜମା ହୋଇଥିବା ସମସ୍ତ ତଥ୍ୟ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆବେଦନର ଶୁଣାଣି ସମୟରେ ଅଦାଲତ SBIକୁ ତୁରନ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ରାଜନୈତିକ ଦଳରେ ଆଦାୟ ହୋଇଥିବା ଚାନ୍ଦା ବାବଦରେ ପୂରା ତଥ୍ୟ ଦେବା ସହ ବଣ୍ଡ ନମ୍ବର ମଧ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ମାର୍ଚ୍ଚ ୧୮ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ତଥ୍ୟ ଦେବାରେ ଅବହେଳାର କାରଣ ଦର୍ଶାଇବା ପାଇଁ ମଧ୍ୟ ସ୍ପଷ୍ଟୋକ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଉଲ୍ଲେଖନୀୟ ଯେ, ଗତ ମାସରେ ସୁପ୍ରିମକୋର୍ଟ SBIକୁ ଇଲେକ୍ଟୋରାଲ ବଣ୍ଡର ଡାଟା ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ସହ ମାର୍ଚ୍ଚ ୧୫ ସନ୍ଧ୍ୟା ୫ଟା ସୁଦ୍ଧା ଉକ୍ତ ତଥ୍ୟ ସବୁ ସାର୍ବଜନୀନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ବାଚନ ଆୟୋଗ ୱେବସାଇଟରେ ୧୪ ତାରିଖରୁ ଏହି ଡାଟା ଅପଲୋଡ୍ ହୋଇ ସାରିଥିବା ବେଳେ ଏସବିଆଇ ଅସମ୍ପୂର୍ଣ୍ଣ ଡାଟା ଦେଇଥିବା ଅଭିଯୋଗ କରିଛି ନିର୍ବାଚନ ଆୟୋଗ।
ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ଶୁଣାଣି କରିଥିବା ବେଳେ ମୁଖ୍ୟ ବିଚାରପତି ଡ଼ି. ୱାଇ. ଚନ୍ଦ୍ରଚୁଡଙ୍କ ବ୍ୟତୀତ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗବଇ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା ଏହି ମାମଲାର ଶୁଣାଣି କରିଥିଲେ।
ଅଧିକ ପଢନ୍ତୁ: ସୋମାଲିଆରେ ଆତଙ୍କୀ ଆକ୍ରମଣ