ଗୁରୁବାର ବିଳମ୍ବିତ ରାତିରେ ଆଫ୍ରିକାର ସୋମାଲିଆସ୍ଥିତ Syl ହୋଟଲରେ ଆତଙ୍କୀ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଏହି ଆକ୍ରମଣରେ ଉକ୍ତ ହୋଟେଲ ଖୁବ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେଜଣଙ୍କ ପ୍ରାଣହାନୀ ଘଟିଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ। ତେବେ ଆତଙ୍କବାଦୀମାନଙ୍କର ଏହି ଭୟଙ୍କର ଆକ୍ରମଣର ବିସ୍ଫୋରଣ ଏତେ ଜୋର ଥିଲା ଯେ, ଏଥିରେ ଉକ୍ତ ହୋଟେଲର କାନ୍ଥ ଭାଙ୍ଗି ଯାଇ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।ତେବେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ କର୍ମୀ ଓ ଅଧିକାରୀ ପହଞ୍ଚିବା ପରେ ସେମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଗୁଳି ଚାଳନା କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ‘ଅଲ ସବାବ’ ନାମକ ଆତଙ୍କୀ ସଙ୍ଗଠନର ଆତଙ୍କବାଦୀମାନେ ସେହି ହୋଟେଲ ଭିତରେ ପଶି ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ। ସେମାନେ ପ୍ରଥମେ ହୋଟେଲ ଭିତରେ ପ୍ରବେଶ କରିଥିବା ବେଳେ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିବା ଜଣାପଡିଛି।ଏହି ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନଥିବା ବେଳେ ‘ଅଲ ସବାବ’ ସଂଗଠନ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ, "ରାଷ୍ଟ୍ରପତି ଆବାସ ନିକଟବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ବଳୟରେ ଥିବା Syl ହୋଟେଲ ଉପରେ ଆମେ ଆକ୍ରମଣ କରିଛୁ। ବହୁ ହାଇ ପ୍ରୋଫାଇଲ ସରକାରୀ ଅଧିକାରୀଙ୍କର ଏହା ପ୍ରିୟ ହୋଟେଲ।"
ଉଲ୍ଲେଖନୀୟ ଯେ, ବିଭିନ୍ନ ସମୟରେ ଅଲ-ଶବାବ ସଙ୍ଗଠନର ଆତଙ୍କବାଦୀ ମାନେ ସୋମାଲିଆର ସଂଘୀୟ ସରକାରକୁ ବିରୋଧ କରି ଦେଶର ହୋଟେଲ ତଥା ବିଭିନ୍ନ ସ୍ଥାନରେ ଆତଙ୍କୀ ହାମଲା କରିଥାଏ।
ଅଧିକ ପଢନ୍ତୁ: ନୂଆ EC ହେଲେ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ