ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଶୁକ୍ରବାର ମୁସଲିମ ପକ୍ଷଙ୍କୁ ଲାଗିଛି ବଡ ଝଟକା । ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ଉଜ୍ଜୈନ ସ୍ଥିତ ତକିଆ ମସଜିଦ ଭଙ୍ଗାଯିବାକୁ କାଏମ ରଖି ନିଷ୍ପତ୍ତି ଶୁଣାଇଥିଲେ । ଏହି ଯାଚିକା ଏହି ମସଜିଦରେ ନମାଜ କରୁଥିବା ୧୩ ସ୍ଥାନୀୟ ନାଗରିକ ଦାୟର କରିଥିଲେ ।
ସେମାନେ ଅଭିଯୋଗ କରିଥିଲେ ଯେ, ମଧ୍ୟ ପ୍ରଦେଶ ସରକାର ମହାକାଳ ମନ୍ଦିରର ପାର୍କିଂ ଏରିଆ ବଢାଇବା ପାଇଁ ୨୦୦ ବର୍ଷ ପୁରୁଣା ମସଜିଦକୁ ଭାଙ୍ଗି ଦେଇଛନ୍ତି । ଏହି ଯାଚିକା ଜରିଆରେ ସେମାନେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ଦାବି କରି ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିବାକୁ ଅପିଲ୍ କରିଥିଲେ । ଯାହା ଫଳରେ ଉକ୍ତ ସ୍ଥାନରେ ଆଉ କୌଣସି ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ । ଏହା ସହ ଏହି ମାମଲାରେ ନିରପେକ୍ଷ ତଦନ୍ତ ଦାବି କରିଥିଲେ ।
ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟ୍ଟାଙ୍କ ପୀଠ ଏହି ମାମଲାରେ ଶୁଣାଣି କରି କହିଛନ୍ତି, ବିଧ୍ୱଂସ ଓ ଅଧିଗ୍ରହଣ ଆଇନ ଅନୁସାରେ ସବୁ କରାଯାଇଥିଲା । ଏଥିପାଇଁ କ୍ଷତିପୂରଣ ମଧ୍ୟ ଦିଆଯାଇଥିଲା । ଅଦାଲତ କହିଛନ୍ତି, ବୈଧ୍ୟାନିକ ଯୋଜନା ଅନ୍ତର୍ଗତ ଏହା ଜରୁରୀ ଯେ, ପ୍ରଭାବିତଙ୍କୁ କ୍ଷତିପୂରଣ ଦିଆଯାଉ ।
ସୁପ୍ରିମକୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆବେଦନକାରୀ ପୂର୍ବରୁ ହାଇକୋର୍ଟରେ ଦାୟର ଏକ ଯାଚିକା ପ୍ରତ୍ୟାହାର କରି ନେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ଏମଆର ଶମଶାଦ ନିଜର ପକ୍ଷ ରଖି ହାଇକୋର୍ଟଙ୍କ ତର୍କୁ ଆଇନଗତ ଭୁଲ୍ ବୋଲି କହିଛନ୍ତି । ସେ କହିଛନ୍ତି ଯେଉଁଭଳି ଭାବେ ମସଜିଦ ଭଙ୍ଗାଗଲା ଏହା ଉପରେ ବିଚାର କରାଯିବାର ଆବଶ୍ୟକତା ରହିଛି । ବିବାଦୀୟ ଆଦେଶକୁ ପାରିତ କରି ହାଇକୋର୍ଟ କହିଥିଲେ, ଆବେଦନକାରୀ ନିଜର ଘରେ କିମ୍ବା ଅନ୍ୟ କୌଣସି ନମାଜ ପଢି ପାରିବେ । ତେବେ ଆଜି ସବୁ ତର୍କ ଶୁଣିବା ପରେ ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କ ଯାଚିକା ଖାରଜ କରିଛନ୍ତି ।
Also read: ସାର୍ବଜନୀନ ସ୍ଥାନରୁ ହଟାଓ ବୁଲା କୁକୁର, ରାସ୍ତାରୁ ଗୋରୁଙ୍କୁ ହଟାଇବାକୁ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ