ନୂଆଦିଲ୍ଲୀ: ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଖେଳ ସ୍ଥାନ, ବସ ଷ୍ଟାଣ୍ଡ୍, ରେଳ ଷ୍ଟେସନ ସମେତ ରାସ୍ତା କଡ଼ରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । କୁକୁରମାନଙ୍କୁ ଆଉ ସେହି ସ୍ଥାନରେ ଛଡ଼ାଯିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏହି ସହିତ କୋର୍ଟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଅନ୍ୟାନ୍ୟ ରାସ୍ତା ମାଲିକାନା ସଂସ୍ଥାଗୁଡ଼ିକୁ ଜାତୀୟ ଏବଂ ରାଜ୍ୟ ରାଜପଥରୁ ବୁଲା ଗାଈଗୋରୁ ଏବଂ ପଶୁମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହଟା ଏବଂ ଏନ୍.ଭି ଅଞ୍ଜରିଆଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ନିଜ ଆଡ଼ୁ ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେଉଁଠାରେ ବୁଲା କୁକୁର ଲୋକଙ୍କୁ ଆକ୍ରମଣ କରୁଛନ୍ତି, ତୁରନ୍ତ ସେମାନଙ୍କୁ ସେଠାରୁ ଧରି ନେଇ ଟୀକାକରଣ କରନ୍ତୁ । ସେମାନଙ୍କୁ ପୁଣି ଥରେ ସେହି ଅଞ୍ଚଳରେ ଛଡ଼ା ଯିବ ନାହିଁ କାରଣ ସେମାନଙ୍କୁ ପୁଣି ସେଠାରେ ଛାଡ଼ିବା ଦ୍ୱାରା କୋର୍ଟଙ୍କ ନିର୍ଦ୍ଦେଶର ଉଦ୍ଦେଶ୍ୟ ବିଫଳ ହେବ ।
ଖଣ୍ଡପୀଠ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ସାର୍ବଜନୀନ ସ୍ଥାନ ଯେପରିକି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ପରିବହନ କେନ୍ଦ୍ର ଏବଂ କ୍ରୀଡା ସୁବିଧା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୮ ସପ୍ତାହ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବିଶେଷକରି ସମ୍ପୃକ୍ତ ସ୍ଥାନମାନଙ୍କରେ ପାଚେରୀ ମାଧ୍ୟମରେ ବୁଲା କୁକୁରଙ୍କ ପ୍ରବେଶକୁ ରୋକିବା ପାଇଁ ନିଶ୍ଚିତ କରନ୍ତୁ । ସେହି ସ୍ଥାନର ରକ୍ଷଣାବେକ୍ଷଣ ଏବଂ ତଦାରଖ ପାଇଁ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରିବା ସହିତ ସ୍ଥାନୀୟ ପୌର କର୍ତ୍ତୃପକ୍ଷ ଏବଂ ପଞ୍ଚାୟତଗୁଡ଼ିକୁ ଅତି କମରେ ତିନି ମାସ ପାଇଁ ସାମୟିକ ଯାଞ୍ଚ କରିବାକୁ ପଡିବ ଏବଂ କୋର୍ଟକୁ ରିପୋର୍ଟ ଦେବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ସହିତ କୋର୍ଟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ଅନ୍ୟାନ୍ୟ ରାସ୍ତା ମାଲିକାନା ସଂସ୍ଥାଗୁଡ଼ିକୁ ଜାତୀୟ ଏବଂ ରାଜ୍ୟ ରାଜପଥରୁ ବୁଲୁଥିବା ଗାଈଗୋରୁ ଏବଂ ପଶୁମାନଙ୍କୁ ହଟାଇବା ଏବଂ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖିବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।