କ୍ୟାବିନ କର୍ମଚାରୀଙ୍କୁ ଅଶାଳୀନ ଆଚରଣ ଘଟଣା, ଗିରଫ ହେଲେ ବିମାନ ଯାତ୍ରୀ। ଅଶୋଭନୀୟ ଆଚରଣ ପାଇଁ ସ୍ପାଇସଜେଟ୍ ଏୟାରଲାଇନ୍ସ ୨ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବାପରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରୁ ହାଇଦ୍ରାବାଦ୍ ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ ମହିଳା କ୍ୟାବିନ୍ କର୍ମଚାରୀଙ୍କୁ ଅସଦାଚାରଣ କରିଥିବା ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ଅବସର ଆଲାମ। ମିଳିଥିବା ସୂଚନାନୁଯାୟୀ ବୋର୍ଡିଂ ସମୟରେ ଗତକାଲି ଜଣେ ଯାତ୍ରୀ କ୍ୟାବିନ କର୍ମଚାରୀଙ୍କୁ ହଇରାଣ କରିଥିଲେ ଏବଂ ତାଙ୍କୁ ଅଶାଳୀନ ଢଙ୍ଗରେ ଛୁଇଁଥିଲେ। ଫଳରେ କ୍ୟାବିନ ସଦସ୍ୟ ଜଣଙ୍କ କାନ୍ଦି ପକାଇଥିଲେ। ଏହି କାରଣ ପାଇଁ ସମ୍ପୃକ୍ତ ଯାତ୍ରୀ ଏବଂ ତାଙ୍କର ଅନ୍ୟ ଜଣେ ସହଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ କରିବା ପାଇଁ ସ୍ପାଇସ ଜେଟ୍ ବିମାନରେ ଚଢ଼ିଥିବା ୨ ଜଣ ଯାତ୍ରୀଙ୍କୁ ଆଜି ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯିବା ପରେ ଏ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ସମ୍ପୃକ୍ତ ଯାତ୍ରୀଙ୍କୁ ସେହି ମାମଲାରେ ଗିରଫ କରାଯାଇଛି ।