ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଉ ଉତ୍ସବ ପାଇଁ ଆମେରିକା ପହଞ୍ଚି ଥିବା ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକୀୟ ସମକକ୍ଷ ମାର୍କୋ ରୁବିଓଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ଦୁଇ ବିଦେଶ ମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଦେଶ ମନ୍ତ୍ରୀ ଜୟଶଙ୍କର କହିଥିଲେ, ସାନ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ନେଇ ମଧ୍ୟ ମୁହଁ ଖୋଲିଥିଲେ। ସେ କହିଥିଲେ, ଦୋଷୀଙ୍କୁ ଶୀଘ୍ର ଦଣ୍ଡ ମିଳିବା ଦରକାର।
ବିଦେଶ ମନ୍ତ୍ରୀ ୱାଶିଂଟନ୍ରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସାନ ଫ୍ରାନ୍ସିସ୍କୋରେ ଆମର ବାଣିଜ୍ୟ ଦୂତାବାସ ଉପରେ ଅଗ୍ନିକାଣ୍ଡ କରିବା ଏକ ବଡ଼ ଗୁରୁତର ମାମଲା। ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଆମେ ଆଶାବାଦୀ ଅଛୁ। ଯେଉଁମାନେ ଏହି କାଣ୍ଡ କରିଛନ୍ତି, ସେମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଭାରତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆଶା କରୁଛି।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଗସ୍ତରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ସେଠାରେ ସେ କ୍ୱାଡ୍ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ତାଙ୍କର ସାକ୍ଷାତର ଏକ ଫଟୋ ଏକ୍ସ ପୋଷ୍ଟରେ ଶେୟାର କରି ଲେଖିଛନ୍ତି, ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆମର ପ୍ରଥମ ଦ୍ୱିପାକ୍ଷିକ ବୈଠକ ପାଇଁ ସେକ୍ରେଟାରୀ ରୁବିଓଙ୍କୁ ଭେଟିବା ଏକ ଆନନ୍ଦର ବିଷୟ। ସେ କହିଛନ୍ତି, ଆମେ ଦୃଢ଼ ଦ୍ୱିପାକ୍ଷିକ ଭାଗିଦାରୀର ସମୀକ୍ଷା କରିଛୁ, ଯେଉଁଥିରେ ସଚିବ ରୁବିଓ ଜଣେ ଦୃଢ଼ ସମର୍ଥକ ରହିଛନ୍ତି।