ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ପହଞ୍ଚିବାରୁ ବିଜେପି ସାଂସଦମାନେ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଏହା ପରେ ଯେମିତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପାଇଁ ଛିଡା ହେଲେ ବିରୋଧୀ ସାଂସଦ ଏହାର ଜୋରଦାର ବିରୋଧ କରିଥିଲେ । ବିରୋଧୀ ଦଳ ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳଚକଟା ଘଟଣା ଉପରେ ଆଲୋଚନା ଦାବି କରି ହୋ ହାଲ୍ଲା କରିଥିଲେ । ବାଚସ୍ପତି ଓମ ବିର୍ଲା ବିରୋଧୀ ସାଂସଦମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ଆରମ୍ଭ କରିବା ପରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ସାଂସଦ କକ୍ଷ ତ୍ୟାଗ କରିଛନ୍ତି । କିନ୍ତୁ ତୃଣମୂଳ କଂଗ୍ରେସର ସାଂସଦ ଗୃହରେ ଉପସ୍ଥିତ ଅଛନ୍ତି । ଏଥିସହ ନିର୍ମଳା ସୀତାରମଣ ଅଷ୍ଟମ ଥର ସଂସଦରେ ନିଜର ବଜେଟ୍ ଉପସ୍ଥାପନ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟର ଅମୃତ ସ୍ନାନ ସମୟରେ ପ୍ରବଳ ଭିଡ ହେବାରୁ ଦଳାଚକଟା ହୋଇଥିଲା । ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ବିରୋଧୀ ଦଳ ବଜେଟ୍ ଉପସ୍ଥାପନ ପୂର୍ବରୁ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରିଥିଲେ । ମାତ୍ର ବାଚସ୍ପତି ଓମ ବିର୍ଲା ଏହି ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ ।
ଲୋକସଭାର ବାଚସ୍ପତି ବିରୋଧୀ ସାଂସଦଙ୍କ ଦାବିକୁ ଖାରଜ କରି କହିଛନ୍ତି ଯେ, ଯେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ ସେହି ସମୟରେ ଆପଣଙ୍କୁ ନିଜ ମତ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ବର୍ତ୍ତମାନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ବଜେଟ୍ ଉପସ୍ଥାପନ କରୁଛନ୍ତି । ଏଥିରେ ଅସନ୍ତୁଷ୍ଟ ହୋଇ ବିରୋଧୀ ସଦସ୍ୟ କକ୍ଷତ୍ୟାଗ କରିଛନ୍ତି ।